ପ୍ରକାଶ ମିଶ୍ର ଲଦାଖ ଉପ ରାଜ୍ୟପାଳ ହେବା ଖବର ଗୁଜବ, ସାମ୍ବାଦିକ ଦେଲେ ସ୍ପଷ୍ଟୀକରଣ

ଭୁବନେଶ୍ୱର: ଚର୍ଚ୍ଚାରେ ପୂର୍ବତନ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର। ନିଜର ଚାକିରି ସମୟରେ ଯେତିକି ଚର୍ଚ୍ଚିତ ଥିଲେ ରାଜନୀତିକୁ ଆସିବା ପରେ ଆହୁରି ଚର୍ଚ୍ଚାରେ ଥିଲେ। ହେଲେ ଗତକାଲି ରାତିଠାରୁ ସେ ଏକ ନୂଆ ଚର୍ଚ୍ଚାରେ ଯୋଡ଼ି ହୋଇଯାଇଛନ୍ତି। ନୂଆଚର୍ଚ୍ଚା ଏହା ଯେ, ନବଗଠିତ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳର ନୂଆ ଉପରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ପ୍ରକାଶ ମିଶ୍ର। ଆଜ୍ଞା ହଁ ସତରେ ଏପରି ହୋଇନଥିଲେ ମଧ୍ୟ ସୋଶିଆଲ ମିଡିଆରେ ପ୍ରକାଶ ମିଶ୍ରଙ୍କ ନାମରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। କିନ୍ତୁ ଖୋଦ୍ ପ୍ରକାଶ ମିଶ୍ର ମଧ୍ୟ ଏଭଳି ଚର୍ଚ୍ଚାକୁ ଅସ୍ୱୀକାର କରିଛନ୍ତି।
ଜଣେ ସାମ୍ବାଦିକ ଶ୍ରୀରାମ ଦାଶ ସୋଶାଲ ମିଡିଆରେ ଏନେଇ ପ୍ରଥମେ ପୋଷ୍ଟ କରିଥିଲେ। ସେ କିନ୍ତୁ ଲେଖିନଥିଲେ ଯେ ଏପରି ନିଯୁକ୍ତି ହୋଇଛି ବୋଲି। ସେ କେବଳ ଲେଖିଥିଲେ, “ଜଣେ ଓଡ଼ିଆ ପ୍ରକାଶ ମିଶ୍ର ନବ ଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ପ୍ରଥମ ଲ୍ୟୁଟନାଣ୍ଟ ଗଭର୍ଣ୍ଣର ନିଯୁକ୍ତ ହୋଇପାରନ୍ତି।”
କିନ୍ତୁ ଏହାକୁ ଭିନ୍ନ ଅର୍ଥରେ ନେଇ କିଛି ଲୋକ ଲେଖିବା ଆରମ୍ଭ କରିଦେଇଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର କୁଆଡ଼େ ପ୍ରକାଶ ମିଶ୍ରଙ୍କୁ ଏହି ସୁଯୋଗ ଦେଇଛନ୍ତି। ତେବେ ପ୍ରକାଶ ମିଶ୍ରଙ୍କ ନିକଟରେ ଏନେଇ କିଛି ସୂଚନା ନଥିବା ଜଣାପଡ଼ିଛି। ସେ ଏ ବିଷୟରେ କହିଛନ୍ତି, ମୋ ପାଖରେ ସେମିତି କିଛି ସୂଚନା ନାହିଁ। ଏ ବିଷୟରେ କିଛି କହିବାର ନାହିଁ।
ଅପରପକ୍ଷେ ଏଇ ଖବର ସୋଶିଆଲ ମିଡିଆରେ ଭାଇରାଲ ହେବା ପରେ ସାମ୍ବାଦିକ ଶ୍ରୀରାମ ଦାସ କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ, ମୁଁ ଦୁଃଖିତ ମୋ ମେସେଜ ପାଇଁ। ହେଲେ ମୁଁ ପୋଷ୍ଟରେ ‘ମେ ବି’ ଶବ୍ଦ ବ୍ୟବହାର କରିଥିଲି। ହେଲେ ସେଟା ସୋଶିଆଲ ମିଡିଆରେ ଭାଇରାଲ ହେବ ବୋଲି ଯାଣିନଥିଲି।
ସୂଚନାଥାଉକି, ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀର ରାଜ୍ୟ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଛନ୍ତି ଭାରତ ସରକାର। ତେବେ ଏହା ଅକ୍ଟୋବର ୩୧ ତାରିଖରେ ଲାଗୁ ହେବ। ଅର୍ଥାତ ଏହି ଦିନ ନୂଆ ଲ୍ୟୁଟନାଣ୍ଟ ଗଭର୍ଣ୍ଣର ବା ଉପରାଜ୍ୟପାଳ ପାଇବ ଲଦାଖ।