Odisha Link
Bridging the Missing Links in Odisha

ସମୁଦ୍ରରେ ବୁଡି ଯାଉଥିବା ସାଙ୍ଗକୁ ଉଦ୍ଧାର କଲେ ସାଙ୍ଗ

କେନ୍ଦ୍ରାପଡ଼ା: ରାଜନଗର ବ୍ଲକ ପେଣ୍ଠ ନିକଟରେ ସମୁଦ୍ରକୁ ଗାଧୋଉଥିବା ବେଳେ ଜଣେ ଛାତ୍ର ବୁଡ଼ି ଯାଇଥିଲେ। ନିକଟରେ ଗାଧୋଉଥିବା ତାଙ୍କର ଜଣେ ସାଙ୍ଗ ବୁଡ଼ିଯାଉଥିବା ଛାତ୍ରଙ୍କୁ ଉଦ୍ଧାର କରି ସାହସିକତାର ପରିଚୟ ଦେଇଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କ ପ୍ରତି ପ୍ରଶଂସାର ସୁଅ ଛୁଟିଛି। ଖବର ଅନୁସାରେ, ରାଜନଗରସ୍ଥିତ ଉଚ୍ଚ ବିଦ୍ୟାଳୟର କେତେଜଣ ୧୦ମ ଶ୍ରେଣୀ ଛାତ୍ର ପେଣ୍ଠ ସମୁଦ୍ରକୂଳକୁ ବୁଲିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ପୃଥ୍ବୀରାଜ ବେହେରା ଓ ଜ୍ଞାନରଂଜନ ଦାସ ସମୁଦ୍ରରେ ଗାଧୋଇଥିଲେ।
ସେମାନେ ଗାଧୋଇବା ବେଳେ ଅନ୍ୟମାନେ ଉପରେ ରହି ଭିଡିଓ ସୁଟିଂ କରୁଥିଲେ। ଏହି ସମୟରେ ଅଧିକ ଉଚ୍ଚା ଜୁଆର ଆସିବାରୁ ସେଥିରେ ପୃଥ୍ବୀରାଜ ସମୁଦ୍ର ଭିତରକୁ ଭାସି ଯାଇଥିଲେ। ବୁଡ଼ି ଯାଉଥିବା ପୃଥ୍ବୀରାଜଙ୍କ ଚିତ୍କାର ଶୁଣି କିଛି ଦୂରରେ ଗାଧୋଉଥିବା ଜ୍ଞାନରଂଜନ ନିଜ ଜୀବନକୁ ଭୟ ନ କରି ପହଁରିକି ତାଙ୍କ ପାଖକୁ ଯାଇ ଟାଣିଟାଣି କୂଳକୁ ଆଣିଥିଲେ। ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଜ୍ଞାନରଂଜନଙ୍କ ଉଦ୍ୟମକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି। ପହଁରା ଶିଖିଥିବାରୁ ଆଗପଛ ବିଚାର ନ କରି ନିଜ ସାଙ୍ଗକୁ ଉଦ୍ଧାର କରିଥିଲେ ବୋଲି ଜ୍ଞାନରଂଜନ କହିଛନ୍ତି।

Comments are closed.