Odisha Link
Bridging the Missing Links in Odisha

ଚିକିତ୍ସା ସମୟରେ ପ୍ରସୂତିଙ୍କୁ ମାଡ ମାରିବା ଅଭିଯୋଗ

ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ସଦରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ପ୍ରସୂତିଙ୍କୁ ମାଡ଼ ମାରିବା ଅଭିଯୋଗ ହୋଇଥିବା ବେଳେ ଏହାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ଖଣ୍ଡନ କରିଥିବା ଜଣାଯାଇଛି। ସୂଚନା ଅନୁସାରେ କୋରୁକୋଣ୍ଡା ନିକଟସ୍ଥ କିଚପାଲି ଗ୍ରାମର ରାମ ପଡ଼ିଆମୀଙ୍କ ସ୍ତ୍ରୀ ମିନା ପଡ଼ିଆମୀଙ୍କୁ ପ୍ରସୂତି ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସା ସମୟରେ ପ୍ରସୂତିଙ୍କୁ ମାଡ଼ ମରାଯାଇଥିବା ପ୍ରସୂତିଙ୍କ ସ୍ୱାମୀ କହିଛନ୍ତି।
ରାମ ଜଣେ ଅନୁସୂଚିତ ଜନଜାତି ବର୍ଗର ଓ ସେ ଜଣେ ଦିନ ମଜୁରିଆ ଅଟନ୍ତି। ପ୍ରତିଦିନ ପରି ଅକ୍ଟୋବର ୨୨ରେ ରାମ କାମକୁ ଯାଇଥିବା ବେଳେ ପ୍ରାୟ ଦିନ ୨ଟା ସମୟରେ ତାଙ୍କ ସ୍ତ୍ରୀ ମିନାଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା ଏବଂ ନିଜ ଘରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପରେ ଗ୍ରାମର ଆଶା ଦିଦି ରାମେ ପଡ଼ିଆମୀ ଉକ୍ତ ପ୍ରସୂତି ମହିଳାଙ୍କୁ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସ୍ୱାସ୍ଥ୍ୟକେନ୍ଦ୍ରରେ ମିନାଙ୍କ ପ୍ରାଥମିକ ଚିକିତ୍ସା ହେଉଥିବା ସମୟରେ ମିନାଙ୍କ ଦୁଇ ଜଙ୍ଘକୁ ଡାକ୍ତରଖାନାର କର୍ମଚାରୀ ମାରିଥିବା ନେଇ ମିନାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି।
ମାଡ ମରାଯାଇଥିବା ଘଟଣା ୨୪ତାରିଖ ଦିନ ମିନା ତାଙ୍କ ଘରକୁ ଫେରିବା ପରେ ସ୍ୱାମୀ ରାମଙ୍କୁ ଜଣାଇଥିଲେ। ପରେ ରାମ ଚିକିତ୍ସାଧୀନ ସମୟରେ ତାଙ୍କ ସ୍ତ୍ରୀକୁ ମାଡ଼ ମରାଯାଇଥିବା ଗଣମାଧ୍ୟମ ନିକଟରେ ପ୍ରକାଶ କରିଥିଲେ। ଏ ନେଇ ଆମେ ମେଡିକାଲ ଭାରପ୍ରାପ୍ତ ଅଧିକାରୀ ଡ. ଦେବାଶିଷ ନାୟକଙ୍କୁ ପଚାରିବାରୁ ସେ ଏହି ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛନ୍ତି। ସେହିପରି ପ୍ରସୂତିଙ୍କୁ ମାଡ଼ ମରାଯିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଘଟଣାର ତଦନ୍ତ ଦାବି ହୋଇଛି।

Comments are closed.