Odisha Link
Bridging the Missing Links in Odisha

ରୋଗୀଙ୍କ ଜୀବନ ସହ ଖେଳଛନ୍ତି ଡାକ୍ତର

ସମ୍ବଲପୁର: ଭୀମସାରରେ ରୋଗୀଙ୍କ ଜୀବନ ସହ ସାଂଘାତିକ ଖେଳ। ଏଚଆଇଭି ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହୋଇଥିା ଉପକରଣରେ ଅନ୍ୟ ୩ ଜଣଙ୍କ ଅସ୍ତ୍ରୋପଚାର କରାଯିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି। ବୁର୍ଲା ବଡ଼ ଡାକ୍ତରଖାନାର ଦନ୍ତଶଲ୍ୟ ବିଭାଗରେ ଜଣେ ଏଚଆଇଭି ସଂକ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାର ପୂର୍ବରୁ ଓ ପରେ ଅନେକ ନିୟମର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଜଣାପଡିବା ପରେ ଅସ୍ତ୍ରୋପଚାର କକ୍ଷକୁ ଷ୍ଟେରିଲାଇଜେସନ କରିବାକୁ ତାଲା ଝୁଲାଇ ଦିଆଯାଇଛି । ଓଟି ବନ୍ଦ ଥିବାରୁ ଅନ୍ୟ ରୋଗୀଙ୍କ ଅପରେସନ ବନ୍ଦ ରହିଛି।
ଗତ ୧୩ ତାରିଖରେ ଅନୁଗୋଳ ଜିଲ୍ଲା କିଶୋରନଗରର ଜଣେ ଏଚଆଇଭି ସଂକ୍ରମିତ ରୋଗୀ ଦୁର୍ଘଟଣାର ଶିକାର ହେବା ପରେ ବୁର୍ଲା ମେଡିକାଲର ସର୍ଜରି ୱାର୍ଡରେ ଭର୍ତ୍ତି ହୋଇଥିଲେ। ଏହି ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ପାଇଁ ଦନ୍ତ ବିଭାଗକୁ ଅଣାଯାଇଥିଲା। ଦାୟିତ୍ବରେ ଥିବା ସହଯୋଗୀ ପ୍ରଫେସର ଡାକ୍ତର ପ୍ରଶାନ୍ତ ସ୍ବାଇଁ ତାଙ୍କ ଅସ୍ତ୍ରୋପଚାର କରିଥିଲେ। ରୋଗୀ ଜଣଙ୍କ ଏଚଆଇଭି ସଂକ୍ରମିତ ବୋଲି ସର୍ଜରୀ ବିଭାଗ ରିପୋର୍ଟରେ ଉଲ୍ଲେଖ ଥିଲା। ଏହା ବାଦ୍ ଏହି ରୋଗୀଙ୍କ ପରେ ଅନ୍ୟ ୩ଜଣଙ୍କ ଚିକିତ୍ସା ସେହି ଉପକରଣରେ କରାଯାଇଥିବା ଅଭିଯୋଗ ହୋଇଛି। ସେପଟେ ରୋଗୀ ଓ ସମ୍ପର୍କୀୟ ଏହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି।
ସେପଟେ ଡାକ୍ତର ସ୍ବାଇଁ କହିଛନ୍ତି ରୋଗୀ ଏଚଆଇଭି ସଂକ୍ରମିତ ଥିବା ଜଣାପଡିଥିଲା। ଏଚଆଇଭି ସଙ୍କ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାର ପରେ ବ୍ୟବହୃତ ଓଟି ସାମଗ୍ରୀ ଅଲଗା କରାଯାଇଥିଲା। ଅନ୍ୟମାନଙ୍କୁ ଅନ୍ୟ ବେଡ୍ ଓ ଅନ୍ୟ ଯନ୍ତ୍ରାଂଶରେ ଅସ୍ତ୍ରୋପଚାର କରାଯାଇଛି। ସେପେଟ ମେଡିକାଲ ଅଧିକ୍ଷକ ଡା ଜୟଶ୍ରୀ ଦୋରା କହିଛନ୍ତି ଏଚଆଇଭି ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପରେ ଓଟି ଜୀବାଣୁ ମୁକ୍ତ କରିବାକୁ ଗୋଟିଏ ଦିନ ବନ୍ଦ ରଖାଯାଏ। ହେଲେ ଭୀମସାର ଦନ୍ତଶଲ୍ୟ ବିଭାଗ ବାବଦରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ତେବେ ପୁରା ଘଟଣାର ତଦନ୍ତ ପାଇଁ ଦାବି ହୋଇଛି।

Comments are closed.