Odisha Link
Bridging the Missing Links in Odisha

ଓଡ଼ିଆ ସାଂସଦଙ୍କୁ ମିଥୁନଙ୍କ ଫିଲ୍ମ କାହାଣୀ ଶୁଣାଇଲେ ମୋଦୀ

ନୂଆଦିଲ୍ଲୀ: ଓଡ଼ିଆ ମହିଳା ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଣାଇଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଫିଲ୍ମ ‘ମୃଗୟା’ର କାହାଣୀ | ସଂସଦର ଶୀତକାଳୀନ ଅଧିବେଶନ ସମାପ୍ତ ହେବା ପରେ ଗତକାଲି ମୋଦୀ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଅଭିନୀତ ଫିଲ୍ମ ‘ମୃଗୟା’ ର ସୁଟିଂ ସମୟର କାହାଣୀ ଶୁଣାଇଥିଲେ | ଜଣେ ଆଦିବାସୀ ଯୁବକର ସଂଘର୍ଷକୁ ମୋଦୀ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ ଶୁଣାଇଥିଲେ | ମିଳିଥିବା ସୂଚନା ମୁତାବକ ଶୁକ୍ରବାର ଦିନ ଶୀତକାଳୀନ ଅଧିବେଶନ ସମାପ୍ତ ହେବା ପରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସଂସଦରେ ଥିବା ନିଜ କକ୍ଷରେ ବିଭିନ୍ନ ଦଳର ୨୦ରୁ ଉର୍ଦ୍ଧ୍ବ ନେତାଙ୍କ ସହ ଆଲୋଚନା କରୁଥିଲେ | ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ |

ଏହି ସମୟରେ ନାଇଡୁ ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ ମୋଦୀଙ୍କ ସହ ପରିଚୟ କରାଇଥିଲେ | ଯିଏ କି ପ୍ରଥମଥର ପାଇଁ ରାଜ୍ୟସଭାର ଇତିହାସରେ ପ୍ରଥମ ଥର ସାନ୍ତାଳୀ ଭାଷାରେ ଭାଷଣ ଦେଇଥିଲେ। ସରୋଜିନୀଙ୍କ ସହ ପରିଚୟ ପରେ ମୋଦୀ ତାଙ୍କୁ ଅଚାନକ ଶୁଣାଇଥିଲେ ମିଥୁନ ଚକ୍ରବର୍ତ୍ତୀଙ୍କ ଅଭିନୀତ ଫିଲ୍ମ ‘ମୃଗୟା’ ର ସୁଟିଂ କାହାଣୀ | ୧୯୭୬ ମସିହାରେ ଆସିଥିବା ଏହି ଫିଲ୍ମରେ ମିଥୁନ ଯେତେବେଳେ ଆଙ୍ଗୁଠି ସହାୟତାରେ ଧନୁତୀର ଚଳାଇବାକୁ ଚାହିଁଥିଲେ ଆଦିବାସୀ ସମୁଦାୟ ସେତେବେଳେ ଏହାକୁ ବିରୋଧ କରିଥିଲେ | ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ମିଥୁନ ଚକ୍ରବର୍ତ୍ତୀଙ୍କୁ ଏକଲବ୍ୟଙ୍କ କାହାଣୀ କୁହାଯାଇଥିଲା |

ଯେଉଁଥିରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ କହିବା ପରେ ଏକଲବ୍ୟ ତାଙ୍କ ହାତର ଆଙ୍ଗୁଠି କାଟି ଗୁରୁ ଦ୍ରୋଣଙ୍କୁ ଦେଇଦେଇଥିଲେ | ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ କୁହାଯାଇଥିଲା ଯେ ଧନୁ ତୀର ଚଳାଇବା ପାଇଁ ଆଙ୍ଗୁଠିର ବ୍ୟବହାର ନ ହେବା ଆବଶ୍ୟକ | ଏହା ପରେ ମିଥୁନ ବିନା ଆଙ୍ଗୁଠିରେ ଧନୁ ତୀର ଚଳାଇବାର ଅଭ୍ୟାସ କରିଥିଲେ | ଏଠାରେ ସୂଚନା ଥାଉ କି ୧୯୭୬ ମସିହାରେ ଆସିଥିବା ଏହି ଫିଲ୍ମକୁ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ମୃଣାଳ ସେନ ନିର୍ଦ୍ଦେଶନା ଦେଇଥିବାବେଳେ ଏହା ମିଥୁନଙ୍କର ପ୍ରଥମ ଫିଲ୍ମ ଥିଲା | ବଡ କଥା ଯେ ଏହି ଫିଲ୍ମର ଅଧିକାଂଶ ଦୃଶ୍ୟ ଓଡ଼ିଶାରେ ସୁଟିଂ ହୋଇଥିବାବେଳେ ଓଡ଼ିଆ କଥାକାର ଭଗବତୀ ଚରଣ ପାଣିଗ୍ରାହୀଙ୍କ ଗଳ୍ପ ‘ଶିକାର’ ରୁ ଏହି ଫିଲ୍ମର କାହାଣୀ ନିଆଯାଇଥିଲା | ଏହି ଫିଲ୍ମ ପାଇଁ ମିଥୁନଙ୍କୁ ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ମିଳିଥିଲା |

Comments are closed.