Odisha Link
Bridging the Missing Links in Odisha

୧୮ ବର୍ଷ ତଳ ପିଲା ବି ନିଅନ୍ତି ଉଜ୍ଜଳା ଗ୍ୟାସ୍!

ନୂଆଦିଲ୍ଲୀ: ପିଲାମାନେ ବି ଉଜ୍ଜଳା ଏଲ୍ପିଜି ଗ୍ୟାସ୍ ନେଇଯାଇପାରନ୍ତି । ଏଭଳି ତଥ୍ୟ ସିଏଜି ଅଡିଟ୍ ରିପୋର୍ଟରୁ ପଦାକୁ ଆସିଛି । ନିକଟରେ ସଂସଦରେ ରଖାଯାଇଥିବା ଉଜ୍ଜଳା ଗ୍ୟାସ୍ ବଣ୍ଟନ ସଂକ୍ରାନ୍ତ ସିଏଜି ରିପୋର୍ଟରୁ ଏଭଳି ତଥ୍ୟ ଉନ୍ମୋଚନ ହୋଇଛି । ଏମିତିକି ଗୋଟିଏ ଦିନରେ ଜଣେ ଜଣେ ବ୍ୟକ୍ତି କିଭଳି ୨ରୁ ୨୦ଟି ଯାଏଁ ସିଲିଣ୍ଡର ନେଇପାରିଲେ, ସେନେଇ ଉଠିଛି ପ୍ରଶ୍ନ ।

ଉଜ୍ଜଳା ଗ୍ୟାସ୍ ବଣ‌୍ଟନ କିଭଳି ଚାଲିଛି ସେ ନେଇ ନିକଟରେ ସଂସଦରେ ସିଏଜିଙ୍କ ରିପୋର୍ଟ ଉପସ୍ଥାପିତ ହୋଇଛି । ଏ ହେଉଛି ସେହି ରିପୋର୍ଟ । ମେ’ ୨୦୧୬ରେ ଗରିବ ମହିଳାଙ୍କୁ ଗ୍ୟାସ୍ ସିଲିଣ୍ଡର ଯୋଗାଇବା ପାଇଁ ଆରମ୍ଭ ହୋଇଥିଲା “ଉଜ୍ଜଳା’’ ଗ୍ୟାସ୍ ଯୋଜନା । ଏହି ଯୋଜନାରେ ଉଲ୍ଲେଖନୀୟ ଭାବେ ୭.୧୯ କୋଟି ଲୋକଙ୍କୁ ଏଲ୍ପିଜି ସିଲିଣ୍ଡର ବଣ୍ଟାଯାଇଥିବା ବେଳେ ଏଥିରୁ ଅନ୍ତତଃ ୮.୫୯ ଲକ୍ଷ ପିଲା ଅର୍ଥାତ୍ ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ନାଁରେ ସିଲିଣ୍ଡର ବିତରଣ କରାଯାଇଛି । ଏକଥା ଜାଣିବା ପରେ ତୈଳ ମନ୍ତ୍ରଣାଳୟ ସହ ତିନିଟି ତୈଳ କମ୍ପାନୀ ୧ ଲକ୍ଷ ୭୨ ହଜାର ପିଲାଙ୍କ ଗ୍ୟାସ୍ ଆବଣ୍ଟନ ରଦ୍ଦ କରିଥିବା ଅଡିଟ୍ ରିପୋର୍ଟରେ ଉଲେଖ ରହିଛି ।
ତିନିଟି ତୈଳ କମ୍ପାନୀ ମଧ୍ୟରୁ ଭାରତ ପୋଟ୍ରୋଲିୟମ୍କୁ ଛାଡ଼ିଦେଲେ ଆଇଓଏସିଏଲ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କମ୍ପାନୀ ସଫଟୱେରକୁ ଠିକ୍ ଭାବେ ତିଆରି କରିନଥିବାରୁ ଓ ଠିକ୍ ଭାବେ ତନଖି କରିନଥିବାରୁ ଜଣେ ଜଣେ ହିତାଧିକାରୀ ଦିନକୁ ୨ରୁ ୨୦ଟି ପର୍ଯ୍ୟନ୍ତ ସିଲିଣ୍ଡର ନେଇଯାଇଥିବା ସିଏଜି ଧରିଛନ୍ତି । ସିଏଜି ନମୁନା ଭାବେ ନେଇଥିବା ୧୩ ଲକ୍ଷ ୯୬ ହଜାର ହିତାଧିକାରୀଙ୍କ ତଥ୍ୟ ଯାଞ୍ଚ କଲା ବେଳେ, ସେଥିରୁ ୩ ଲକ୍ଷ ୪୪ ହଜାର ବ୍ୟକ୍ତି ଦିନକୁ ୨ରୁ ୨୦ଟି ସିଲିଣ୍ଡର ନେଇଯିବାରେ ସଫଳ ହେବା ଦେଖାଯାଇଛି । ବର୍ଷକୁ ୧୨ଟି ସିଲିଣ୍ଡରରୁ ଅଧିକ ନେଲେ ବଜାର ଦର ଦେବାକୁ ପଡ଼ିବ ବୋଲି ନିୟମ ରହିଥିବା ବେଳେ କିଭଳି କିଛି ତୈଳ କମ୍ପାନୀ ତଥ୍ୟ ତନଖି ନକରି ସଫଟେୱରକୁ ଦୁର୍ବଳ କରି ବସିପଡ଼ିଲେ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ଆଶ୍ୱାସନାର ବିଷୟ ହେଉଛି ଉଜ୍ଜଳା ଯୋଜନା ଆସିବା ପୂର୍ବରୁ ଦେଶରେ ପ୍ରାୟ ୬୦ ପ୍ରତିଶତ ପରିିବାର ପାଖରେ ଏଲ୍ପିଜି ଗ୍ୟାସ୍ ସଂଯୋଗ ଥିବା ବେଳେ ଏବେ ତାହା ୯୫ ପ୍ରତିଶତରେ ପହଁଚିଛି ।

Comments are closed.