Odisha Link
Bridging the Missing Links in Odisha

ଓଡ଼ିଶାକୁ ପୁଣି କୃଷି କର୍ମଣ ପୁରସ୍କାର

ଭୁବନେଶ୍ବର: ପୂର୍ବରୁ ଓଡ଼ିଶା ୫ ଥର କୃଷି କର୍ମଣ ପୁରସ୍କାର ପାଇଥିବା ବେଳେ ପୁଣି ଥରେ ଏହି ପୁରସ୍କାର ଜିତି ରାଜ୍ୟ ଗୌରବ ଅର୍ଜନ କରିଛି। ବେଙ୍ଗାଲୁରୁ ନିକଟ ତୁମାକୁର ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଏହି ପୁରସ୍କାର ପ୍ରଦାନ କରିଛନ୍ତି। କୃଷି ଉତ୍ପାଦନ କ୍ଷେତ୍ରରେ ରାଜ୍ୟର ଉତ୍ସାହପ୍ରଦ ପ୍ରଦର୍ଶନ ପାଇଁ ଆଜି ପ୍ରଧାନମନ୍ତ୍ରୀଙ୍କ ହାତରୁ ଏ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ। ଉତ୍ସବରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମଧ୍ୟ ଉପସ୍ଥିତ ଥିଲେ।

ପୁରସ୍କାର ବାବଦରେ ଓଡ଼ିଶାକୁ ସ୍ମୃତିଫଳକ, ମାନପତ୍ର ଓ ଏକ କୋଟି ଟଙ୍କା ମିଳିଛି। ମନ୍ତ୍ରୀ ଡ. ସାହୁଙ୍କ ସହ ଓଡ଼ିଶାର କୃଷି ଉତ୍ପାଦନ ଆୟୁକ୍ତ ପ୍ରଦୀପ୍ତ ମହାପାତ୍ର ଓ କୃଷି ନିର୍ଦ୍ଦେଶକ ଡ. ଏମ୍‌ ମୁଥୁକୁମାର ମଧ୍ୟ ଉତ୍ସବରେ ଉପସ୍ଥିତ ଥିଲେ।

ନିକଟରେ ଓଡ଼ିଶା ସମୃଦ୍ଧି ୨୦୨୦ ନାମରେ ଏକ କୃଷି ନୀତି ପ୍ରବର୍ତ୍ତନ କରିଛି ଯେଉଁଥିରେ ଚାଷୀ ପାଇଁ ବଜାର ସଂଯୋଗ, ଶସ୍ୟ ବିବିଧିକରଣ ଓ ଲାଭକାରୀ ବିଜ୍ଞାନ ଓ ପ୍ରଯୁକ୍ତି ଯୋଡ଼ି ହୋଇ ରହିଛି। ଏହା ରାଜ୍ୟରେ କୃଷି ବିକାଶ ସହ କୃଷକର ରୋଜଗାର ଓ ଜୀବନ ଧାରଣ ମାନ ବୃଦ୍ଧିରେ ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ପୁରସ୍କାର ଗ୍ରହଣ କରିବା ପରେ ଡ ସାହୁ କହିଛନ୍ତି- କୃଷି କଲେ ଉନ୍ନତ ସକଳ ଉନ୍ନତି। ଚାଷୀମାନେ ଆମ ଅର୍ଥନୀତିର ମେରୁଦଣ୍ଡ। ସେମାନଙ୍କ ଉନ୍ନତି ଓ ସ୍ଵାର୍ଥ ରକ୍ଷା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁଦ୍ଧିବଦ୍ଧ। ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ଓ ଚାଷୀଙ୍କର ଆୟକୁ ଦ୍ୱିଗୁଣିତ କରିବା ପାଇଁ ଯେଉଁ କୃଷି ନୀତି ସହିତ ବିଭିନ୍ନ ଯୋଜନା କରିଥିଲେ ତାହା ସଫଳ ହୋଇଛି। ଏ ପୁରସ୍କାରର ଶ୍ରେୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ସାରା ଓଡ଼ିଶାର ଚାଷୀଙ୍କୁ ଯାଉଛି।

Comments are closed.