ଆଜି ପରଦା ଉପରକୁ ଆସିଲା ‘ଛପାକ୍’

ମୁମ୍ବାଇ: ରିଲିଜ୍ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଛପାକ୍’। ଏହି ଫିଲ୍ମର ବିଷୟବସ୍ତୁ ଏକ ସତ୍ୟ କାହାଣୀକୁ ନେଇ ଆଧାରିତ। ଏସିଡ ଆକ୍ରମଣରେ ଶିକାର ହୋଇଥିବା ଝିଅଟିଏ କିଭଳି ସମାଜରେ ଏସିଡ ବିକ୍ରି ବିରୋଧରେ ସ୍ୱର ଉତ୍ତୋଳନ କରି ବିଜୟୀ ହେଉଛି , ତାହାକୁ ନେଇ ନିର୍ମାଣ ହୋଇଛି ଏହି ଚଳଚ୍ଚିତ୍ର। ୨୦୦୫ ମସିହାରେ ୧୫ ବର୍ଷିୟ ଲକ୍ଷ୍ମୀ ଅଗ୍ରୱାଲ ନାମ୍ନୀ ଯୁବତୀଙ୍କ ଉପରେ ହୋଇଥିଲା ଏସିଡ୍ ଆକ୍ରମଣ। ଏସିଡ ଆକ୍ରମଣ ପରେ ଲକ୍ଷ୍ମୀଙ୍କ ସହ ଘଟି ଯାଇଥିବା ପ୍ରତ୍ୟେକ ଘଟଣାକୁ ନେଇ ଛପାକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଏହି ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଦୀପିକା ପାଦୁକୋନ।
ଏହି ଫିଲ୍ମରେ ଦୀପିକା ପାଦୁକୋନ ମାଲତି ଅଗ୍ରୱାଲ ନାମ୍ନୀ ଏସିଡ ଆକ୍ରମଣର ଶିକାର ହୋଇଥିବା ଯୁବତୀଙ୍କ ଭୂମିକାରେ ଅଭିନୟ କରିଛନ୍ତ। ଏସିଡ୍ ମାଡରେ ମାଲତିଙ୍କର ସମ୍ପୂର୍ଣ୍ଣ ଶରୀର ଜଳି ଯାଇଛି ଏବଂ ତାଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ତେବେ ଏହି ଆକ୍ରମଣ ପାଇଁ ମାଲତିଙ୍କ ପୁୁରୁଷ ବନ୍ଧୁ ରାଜେଶଙ୍କୁ ସନ୍ଦେହ କରୁଛନ୍ତି ଲୋକେ । ରାଜେଶ ଭୂମିକାରେ ନଜର ଆସିବେ ଅଙ୍କିତ ବିଷ୍ଟ । କିନ୍ତୁ ଏହି ଆକ୍ରମଣ ପଛରେ ରାଜେଶର ହାତ ନଥିଲା ବରଂ ମାଲତିର ଜଣାଶୁଣା ବବୁ ଓରଫ ବସିର ଖାନ୍ ଓ ତାର ସମ୍ପର୍କୀୟ ପରବିନ ଶେଖର ହାତ ଥିବା ସ୍ପଷ୍ଟ ହୋଇଛି। ପରେ ମାଲତି ନ୍ୟାୟ ପାଇଁ ଅନ୍ୟମାନଙ୍କ ସହଯୋଗରେ ଆଗକୁ ବଢ଼ୁଛନ୍ତି ଓ ସଫଳତା ପାଉଛନ୍ତି ଏବଂ ଏସିଡ ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କ ପାଇଁ ସେ ପାଲଟି ଯାଇଛନ୍ତି ଉଦାହରଣ।
ଫିଲ୍ମ ଛପାକ ପରଦାକୁ ଆସିବ ପୂର୍ବରୁ ଆରମ୍ଭ ହୋଇଯାଇଛି ରାଜନୀତି। ବିଜେପିର କେତେକ ନେତା ଏହି ଫିଲ୍ମକୁ ବୟକଟ କରିବାକୁ ଆହ୍ୱାନ ଦେଉଥିବାବେଳେ ଆଉ କେତେକ ସଂଗଠନ ଫିଲ୍ମକୁ ଦେଖିବାକୁ ଲୋକମାନଙ୍କୁ ଅପିଲ କରିଛନ୍ତି । ତେବେ ଏହାରି ଭିତରେ ପାଦେ ଆଗକୁ ଯାଇ ସମାଜବାଦୀ କର୍ମୀଙ୍କୁ ଫିଲ୍ମ ଦେଖାଇବା ପାଇଁ ଲକ୍ଷ୍ନୌ ଗୋଟିଏ ହଲକୁ ସମ୍ପୂର୍ଣ୍ଣ ବୁକ୍ କରିଛନ୍ତି ଅଧ୍ୟକ୍ଷ ଅଖିଳେଶ୍ ଯାଦବ। ସେହିପରି ମଧ୍ୟ ପ୍ରଦେଶ ଓ ଛତିଶଗଡରେ ଛପାକକୁ ଟ୍ୟାକ୍ସ ଫ୍ରି କରିଛନ୍ତି ରାଜ୍ୟ ସରକାର। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଦୀପିକା ଜେଏନୟୁ ଆନ୍ଦୋଳନ ରତ ଛାତ୍ରଙ୍କ ସହ ଠିଆ ହେବା ପରେ ଆରମ୍ଭ ହୋଇଛି ଏହି ରାଜନୀତି ।