ପୌଷ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ

ପୁରୀ: ଆଜି ପୌଷ ପୂର୍ଣ୍ଣମା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପୁଷ୍ୟାଭିଷେକ। ଏହି ଅବସରରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ସୁନାବେଶ। ରତ୍ନସିଂହାସନରେ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ରାଜାଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଆଜିର ଦିନରେ ପ୍ରଭୁ ରାମଚନ୍ଦ୍ର ବନବାସରୁ ଫେରିବା ପରେ ତାଙ୍କର ରାଜ୍ୟାଭିଷେକ ହୋଇଥିଲା। ତେଣୁ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପୌଷ ପୂର୍ଣ୍ଣିମାରେ ପୁଷ୍ୟାଭିଷେକ ନୀତି ପାଳନ ହେୋଇଥାଏ ।
ଆଜି ସକାଳ ଧୂପ ପରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି କରାଯିବ। ରତ୍ନସିଂହାସନ ତଳେ ଥିବା ଦର୍ପଣରେ ଶ୍ରୀଜଗନ୍ନାଥଙ୍କ ବାଡରେ ଅଭିଷେକ ନୀତି ଅନୁଷ୍ଠିତ ହେବ । ପରେ ମହାପ୍ରଭୁଙ୍କ ସୁନାବେଶ ସମ୍ପନ୍ନ ହେବ । ଆଜି ଆଂଶିକ ଗ୍ରହଣ ଥିବାରୁ ପୁରୀ ଶ୍ରୀମନ୍ଦିରରେ ପୂଜା ନୀତିରେ କୌଣସି ପରିବର୍ତ୍ତନ ହେବ ନାହିଁ। ରାଜାଧିରାଜ ବେଶରେ ମହାପ୍ରଭୁ ରନସିଂହାସନ ଉପରେ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ଯଥା ପାଦରେ ଶ୍ରୀପୟର, ହାତରେ ଶ୍ରୀଭୂଜ, କିରୀଟି, ଓଡିଆଣି, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡକାନି, ଘାଗଡାମାଳି, କଦମ୍ୱମାଳି, ବାହାଡା ମାଳି ଆଦି ପରିଧାନ ପୂର୍ବକ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ମହାପ୍ରଭୁ ଆୟଧ ଭାବେ ପୁଷ୍ପ ଧନୁସର ଧରି ଭକ୍ତଙ୍କୁ ଦର୍ଶନ ଦେବେ।