ନାବାଳିକାକୁ ଦୁଷ୍କର୍ମ କରି ରାସ୍ତାକୁ ଫିଙ୍ଗିଲେ ଦୁର୍ବୃତ୍ତ

ଯାଜପୁର: ନାବାଳିକାକୁ ଦୁଷ୍କର୍ମ କରି ରାସ୍ତାକୁ ଫିଙ୍ଗିଲେ ଦୁର୍ବୃତ୍ତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ। ନାବାଳିକାକୁ ଅପହରଣ କରିବା ସହ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ପରେ ରାସ୍ତାରେ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ସୂଚନା ମୁତାବକ, ନାବାଳିକା ଜଣକ ୧୪ ତାରିଖରୁ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଖୋଳତାଡ ଆରମ୍ଭ କରିଥିଲା। ଚାରି ଦିନ ପରେ ରାସ୍ତା କଡରୁ ଆଜି ନାବାଳିକାକୁ ନିଶାଶକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ପୀଡିତାଙ୍କୁ ଚିକିତ୍ସା ପାଇଁ ଯାଜପୁର ସଖୀ କେନ୍ଦ୍ରରେ ରଖାଯାଇଛି।
ପୀଡିତାଙ୍କ ବୟାନ ଅନୁଯାୟୀ, ମିଟୁ ଓ ପିଣ୍ଟୁ ନାମକ ଦୁଇ ଜଣ ଯୁବକ ତାଙ୍କୁ ଅପହରଣ କରିନେଇଥିଲେ। ପରେ ନାବାଳିକାଙ୍କୁ ବିଭିନ୍ନ ସ୍ଥାନରେ ରଖି ଶାରୀରିକ ନିର୍ଯ୍ୟାତନା ସହ ବିଭିନ୍ନ ସ୍ଥାନକୁ ନେବା ବେଳେ ଆଖିରେ କଳାପଟି ବାନ୍ଧି ଦେଉଥିଲେ। ଖାଇବା ପାଇଁ କେବଳ ମିଠା ଦେଉଥିଲେ। ଖାଇବା ପରେ ସେ ଚେତାଶୂନ୍ୟ ହୋଇପଡୁଥିଲେ। ପ୍ରତିଦିନ ସକାଳୁ ତାଙ୍କ ଦେହରେ ପୋଷାକ ନଥିବା ବେଳେ ତାଙ୍କୁ ଗାଧୋଇ ଦିଆଯାଉଥିଲା ଏବଂ ନୂଆ ଡ୍ରେସ ପିନ୍ଧିବାକୁ ଦିଆଯାଉଥିଲା। ଦୀର୍ଘ ଚାରି ଦିନ ଏପରି ନିର୍ଯ୍ୟାତନା ଦେବା ପରେ ଆଜି ତାଙ୍କୁ ରାସ୍ତା ଉପରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ । ଏହି ଅପହରଣରେ କେତେକ ମହିଳା ମଧ୍ୟ ସାମିଲ ଥିବା ନାବାଳିକା ଜଣଙ୍କ ବୟାନରେ କହିଛନ୍ତି। ଏଥିସହ ପୀଡିତା କହିଛନ୍ତି ଯେ, ଯେଉଁ ଗୋଟିଏ ସ୍ଥାନରେ ନାବାଳିକାଙ୍କୁ ରଖାଯାଇଥିଲା ସେହି ଘରର ଉପର ମହଲାରେ କେତେକ ପୁଲିସ ରହୁଥିଲେ। ଏହି ଘଟଣାରେ କୌଣସି ପୁଲିସ କର୍ମଚାରୀଙ୍କ ହାତ ଥିବା ନେଇ ସନ୍ଦେହ କରାଯାଉଛି। ତେବେ ଏନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
Comments are closed.