୧୨ରେ ଓଡ଼ିଶା ଆସିବେ ଅମିତ ଶାହ

ଭୁବନେଶ୍ୱର: ଫେବୃୟାରୀ ୧୨ରେ ଭୁବନେଶ୍ୱରରେ ବସିବ ପୂର୍ବାଞ୍ଚଳ ପରିଷଦର ବୈଠକ। ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଯୋଗ ଦେବେ। ବୈଠକ ୩୧ରେ ହେବ ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଥିଲା। ମାତ୍ର ଏବେ ଏହା ଆସନ୍ତା ୧୨କୁ ଘୁଞ୍ଚିଛି । ୨୯ ବର୍ଷ ପରେ ଭୁବନେଶ୍ୱରରେ ୨୪ ତମ ପରିଷଦ ବୈଠକ ବସିବ ବୋଲି ସୂଚନା ମିଳିଛି।
ଲୋକସେବା ଭବନର କନଭେନସେନ ସେଣ୍ଟରରେ ବୈଠକ ବସିବାକୁ ଆପାତତଃ ସ୍ଥିର ହୋଇଥିଲା ବେଳେ ଆସାମ, ପଶ୍ଚିମବଙ୍ଗ, ସିକିମ, ଝାଡ଼ଖଣ୍ଡ, ବିହାର ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏଥିରେ ଯୋଗ ଦେବେ। ପୂର୍ବାଂଚଳ ରାଜ୍ୟ ଗୁଡ଼ିକର ବିଭିନ୍ନ ସମସ୍ୟା ସମ୍ପର୍କରେ ଏ ବୈଠକରେ ଆଲୋଚନା ହେବ। ବୈଠକରେ ଯୋଗ ଦେବାକୁ ଶ୍ରୀ ଶାହ ଆସିବା ଚୂଡ଼ାନ୍ତ ହୋଇଥିଲା ବେଳେ ସେ ବିଜେପିର କିଛି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇପାରନ୍ତି। ଦଳ ପକ୍ଷରୁ ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ସଚେତନତା ଅଭିଯାନ ଚାଲିଥିବା ବେଳେ ଶ୍ରୀ ଶାହ ଏଥିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ମାତ୍ର ଶାହଙ୍କ ଗସ୍ତ ନେଇ ନିର୍ଦ୍ଧିଷ୍ଟ ଭାବେ କିଛି ସୂଚନା ଆସିନି ବୋଲି ଦଳ କହିଛି।