Odisha Link
Bridging the Missing Links in Odisha

ସିଏଏ ସପକ୍ଷରେ କହିବା ସହ ପାକିସ୍ତାନକୁ ଟାର୍ଗେଟ କଲେ ମୋଦି

ନୂଆଦିଲ୍ଲୀ: ସାରା ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବିକ୍ଷୋଭ ଓ ସମର୍ଥନ ଲାଗି ରହିଛି। ଏହାରିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସିଏଏ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ସେ କହିଛନ୍ତି ଯେ, ଐତିହାସିକ ଭୁଲକୁ ଠିକ୍‌ କରିବା ଓ ବିଜେପିର ପୁରୁଣା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ସିଏଏ ଅଣାଯାଇଛି। ପଡ଼ୋଶୀ ଦେଶରେ ଧାର୍ମିକ ଉତ୍ପୀଡ଼ନର ଶିକାର ହେଉଥିବା ଲୋକଙ୍କୁ ନ୍ୟାୟ ଦେବାକୁ ସିଏଏ ଅଣାଯାଇଛି ବୋଲି କହିଛନ୍ତି ମୋଦି।

ପ୍ରଧାନମନ୍ତ୍ରୀଙ୍କ ବାର୍ଷିକ ଏନସିସି ରାଲି ୨୦୨୦କୁ ସମ୍ବୋଧନ କରି ସେ କହିଛନ୍ତି, “ସ୍ୱାଧୀନତା ପରଠାରୁ ଜମ୍ମୁ-କଶ୍ମୀରର ସମସ୍ୟା ସୃଷ୍ଟି ହୋଇଥିଲା। କିଛି ପରିବାର ଓ ରାଜନୀତିକ ଦଳ ଉକ୍ତ ଅଞ୍ଚଳରେ ସେହି ସମସ୍ୟାକୁ ସର୍ବଦା ବଞ୍ଚାଇ ରଖିଥିଲେ। ଏହି କାରଣ ପାଇଁ ସେଠାରେ ଆତଙ୍କବାଦୀଙ୍କ ଆଡ୍ଡା ବଢ଼ିବାରେ ଲାଗିଥିଲା। ଏବେ କାର ସରକାର ଦେଶରେ ଦୀର୍ଘ ଦଶନ୍ଧି ଧରି ଚାଲିଥିବା ସମସ୍ୟାଗୁଡ଼ିକର ସମାଧାନ କରିବା ପାଇଁ ଉଦ୍ୟମ କରୁଛନ୍ତି।”

ଅପରପକ୍ଷେ ସେ ପାକିସ୍ତାନକୁ ଟାର୍ଗେଟ କରି କହିଛନ୍ତି ଯେ, “ପଡ଼ୋଶୀ ଦେଶ ଆମ ସହ ୩ଟି ଯୁଦ୍ଧ କରି ହାରିଛନ୍ତି। ତଥାପି ସେମାନେ ଭାରତ ବିରୋଧରେ ଚ୍ଛାୟା ଯୁଦ୍ଧ ଜାରି ରଖିଛନ୍ତି। ପୂର୍ବ ସରକାର ଏସବୁ ସମସ୍ୟାକୁ ଆଇନ ଶୃଙ୍ଖଳା ପରିସ୍ଥିତି ଭାବେ ଦେଖୁଥିଲେ। ଦେଶର ସେନା ଯେତେବେଳେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଗେଇ ଆସୁଥିଲା, ସେତେବେଳେ ପୂର୍ବରୁ କ୍ଷମତାରେ ଥିବା ସରକାରମାନେ ଏଥିପାଇଁ ଅନୁମତି ଦେଉ ନଥିଲେ ବୋଲି କହିଛନ୍ତି ମୋଦି। ଏଥିସହିତ ସେ କହିଛନ୍ତିଯେ, ତିନି ତିନି ଥର ଯୁଦ୍ଧ ହାରିଥିବା ପାକିସ୍ତାନକୁ ବର୍ତ୍ତମାନ ହରାଇବାକୁ ହେଲେ ୧୦ ଦିନରୁ କମ୍‌ ସମୟ ଲାଗିବ ବୋଲି କହିଛନ୍ତି ମୋଦି।

Comments are closed.