Odisha Link
Bridging the Missing Links in Odisha

ପ୍ରସିଦ୍ଧ ଶୈବପୀଠ କପିଳାସରେ ହେବ ରୋପ୍‌ୱେ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। କାରଣ ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସରେ କାର୍ଯ୍ୟକାରୀ ହେବ ରୋପ୍‌ଓ୍ବେ। ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା। କପିଳାସ ସମେତ ରାଜ୍ୟର ୪ଟି ପର୍ଯ୍ୟଟନସ୍ଥଳୀରେ ଏହି ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏଥିପାଇଁ ସମସ୍ତ ସ୍ବୀକୃତି ପ୍ରଦାନ କରାଯାଇଛି ବୋଲି କୁହାଯାଇଛି।

୨୦୧୮-୧୯ ବର୍ଷରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କପିଳାସ, ଖୋର୍ଦ୍ଧାର ବରୁଣେଇ, ଧଉଳି ଓ କେନ୍ଦୁଝରର ଭୀମକୁଣ୍ଡ ପର୍ଯ୍ୟଟନ ସ୍ଥଳୀରେ ରୋପୱେ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ପ୍ରସ୍ତାବ ଦିଆଯାଇଥିଲା। କପିଳାସଠାରେ ରୋପୱେ କରାଯିବା ପାଇଁ ବିଧାନସଭାରେ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ ପ୍ରସ୍ତାବ ଦେଇଥିଲେ। ଏଥିପୂର୍ବରୁ ୧୯୯୨ ଓ ୨୦୦୪ରେ ତତ୍କାଳୀନ ଜିଲାପାଳଙ୍କ ପକ୍ଷରୁ କପିଳାସରେ ରୋପୱେ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ବନବିଭାଗ ଓ ଦେବୋତ୍ତର ବିଭାଗ ମଧ୍ୟରେ ଜାଗା ବିବାଦ ଯୋଗୁ ପ୍ରକଳ୍ପ ଚୂଡାନ୍ତ ହୋଇପାରି ନ ଥିଲା। ୧୬ ବର୍ଷ ପରେ କପିଳାସରେ ରୋପୱେ ପ୍ରକଳ୍ପ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି।

ଅନ୍ୟପଟେ କପିଳାସ ବିଜ୍ଞାନ ପାର୍କ ସମେତ ରାଜ୍ୟର ୮ଟି ସ୍ଥାନରେ ପ୍ଲାନେଟୋରିୟମ ଓ ୧୦ ଜିଲାରେ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ କୁହନ୍ତି, ଗତ ବିଧାନସଭାରେ କପିଳାସଠାରେ ରୋପ୍‌ୱେ ଏବଂ ବିଜ୍ଞାନ ପାର୍କରେ ପ୍ଲାନେଟୋରିୟମ କରିବାକୁ ପ୍ରସ୍ତାବ ଦେଇଥିଲୁ। ପର୍ଯ୍ୟଟନ ବିଭାଗ ପକ୍ଷରୁ ରୋପୱେ ପ୍ରସ୍ତାବକୁ ସ୍ବୀକୃତି ପ୍ରଦାନ କରାଯାଇଛି। ଏଥିପାଇଁ ଜାଗା ଚିହ୍ନଟ ପାଇଁ ଦେବୋତ୍ତର ବିଭାଗକୁ ଜଣାଇଛି। ଢେଙ୍କାନାଳ ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ କହିଛନ୍ତି, ବିଧାୟକ ବିଧାନସଭାରେ ପ୍ରସ୍ତାବ ଦେବାପରେ ଆମକୁ ୫ ଏକର ଜାଗା ଚିହ୍ନଟ କରିବାକୁ ଜଣାଇଛନ୍ତି।ଜାଗା ଚିହ୍ନଟ କରିବା ପରେ ବିଧାୟକଙ୍କୁ ରିପୋର୍ଟ ପ୍ରଦାନ କରାଯିବ।

Comments are closed.