Odisha Link
Bridging the Missing Links in Odisha

କେରଳ: ରାଜ୍ୟପାଳ ପଢ଼ିଲେ ସିଏଏ ବିରୋଧୀ ଏକ ପାରାଗ୍ରାଫ୍‌, ବିଧାୟକ କଲେ ହଙ୍ଗାମା

ଥିରୁଭନନ୍ତପୁରମ୍‌: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ କେରଳ ବିଧାନସଭାରେ ବଜେଟ ଅଧିବେଶନ ସମୟରେ ଦେଖିବାକୁ ମିଳିଛି ହଙ୍ଗାମା। ଆଜି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ଙ୍କ ସହ ବିଧାନସଭା ଆସିଥିବା ରାଜ୍ୟପାଳଙ୍କୁ ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟର ବିଧାୟକମାନେ ବିରୋଧ କରିଥିଲେ। ସେମାନେ ‘ଗୋ ବ୍ୟାକ୍‌ ଗଭର୍ଣ୍ଣର’ ଏବଂ ସିଏଏ ବିରୋଧୀ ସ୍ଲୋଗାନ୍‌ ଲେଖା ପ୍ଲାକାର୍ଡ ଦେଖାଇ ବିରୋଧ କରିବା ସହ ବାଟ ଓଗାଳିଥିଲେ।

ରାଜ୍ୟପାଳଙ୍କ ବାଟ ଓଗାଳିବା ସମୟରେ ରାଜ୍ୟପାଳ ସ୍ମିତହାସ୍ୟ ଦେଇ ସେମାନଙ୍କୁ ହଟିବାକୁ ଅପେକ୍ଷା କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ବିଜୟନ ତାଙ୍କୁ ବାଟ କଢ଼ାଇନେବାକୁ ପ୍ରୟାସ କରିଥିଲେ। ଏହାପରେ ବିଧାନସଭାରେ ମାର୍ଶାଲମାନେ ରାଜ୍ୟପାଳଙ୍କୁ ପୋଡ଼ିଅମ୍‌କୁ ନେଇଯାଇଥିଲେ।

ଏହାପରେ ଜାତୀୟ ସଙ୍ଗୀତ ପ୍ଲେ କରାଯାଇଥିଲା। ଏହା ସରିବା ମାତ୍ରେ ରାଜ୍ୟପାଳଙ୍କ ପୋଡ଼ଅମ୍‌ ନିକଟକୁ ବିଧାୟକମାନେ ମାଡ଼ିଆସିଥିଲେ। ରାଜ୍ୟପାଳ ଅଭିଭାଷଣ ଆରମ୍ଭ କରିଥିଲେ ହେଁ ସେମାନେ ଏହାକୁ ବୟକଟ୍‌ କରିଥିଲେ। ଏହି ଭାଷଣରେ ସିଏଏ ବିରୋଧୀ ଏକ ପାରାଗ୍ରାଫ୍‌ ଥିଲା। ତେବେ ସିଏଏକୁ ନେଇ ଭିନ୍ନ ମତ ରହିଥିଲେ ହେଁ ମୁଖ୍ୟମନ୍ତ୍ରୀ ଅନୁରୋଧରେ ସେ ଏପରି କରୁଥିବା କହିଥିଲେ।

ଏପର୍ଯ୍ୟନ୍ତ ୪ଟି ରାଜ୍ୟ ସିଏଏ ବିରୋଧରେ ସଂକଳ୍ପ ପାରିତ କରିସାରିଛନ୍ତି। ଏହି ପ୍ରକ୍ରିୟା କେରଳ ହିଁ ଆରମ୍ଭ କରିଥିଲା। ଶେଷ ଥର ପାଇଁ ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ତୃଣମୂଳ ସରକାର ଏହି ସଂକଳ୍ପ ପାରିତ କରିଛନ୍ତି।

Comments are closed.