Odisha Link
Bridging the Missing Links in Odisha

କରୋନା ଭାଇରସ୍‌ : ଉଦ୍ଧାର ପାଇଁ ସରକାରଙ୍କୁ ଛାତ୍ରଛାତ୍ରୀଙ୍କ ନିବେଦନ

ନୂଆଦିଲ୍ଲୀ: ଉହାନ୍‌ ସହରରେ କରୋନାଭାଇରସ୍‌ ଦିନକୁ ଦିନ ଭୟଙ୍କର ରୂପ ନେଉଛି। ଏହାକୁ ଆଖି ଆଗରେ ରଖି ଉହାନକୁ ସିଲ୍‌ କରି ପ୍ରବେଶ ଓ ପ୍ରସ୍ଥାନ ଉପରେ ରୋକ ଲଗାଇଛନ୍ତି ଚୀନ ସରକାର। ସେଠାରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀମାନେ ସେମାନଙ୍କୁ ସେଠାରୁ ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। ଏଥିସହ ସହର ବନ୍ଦ ଥିବାରୁ ସେମାନଙ୍କ ପାଖରେ ଥିବା ଖାଦ୍ୟପାନୀୟ ସରିଆସୁଛି ବୋଲି ସେମାନେ କହିଛନ୍ତି।

ଉହାନ୍‌ରେ ଅଧ୍ୟୟନ କରୁଥିବା ଗୌରବ ନାଥ ନାମକ ଜଣେ ୨୨ ବର୍ଷିୟ ଭାରତୀୟ ଛାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ, ସହରରେ କରୋନାଭାଇରସ୍‌ ବ୍ୟାପୀଥିବା କାରଣରୁ ଆମକୁ ଘର ଭିତରେ ରହିବାକୁ କୁହାଯାଇଛି। ଆମେ ପରିସର ମଧ୍ୟସ୍ଥ ଡର୍ମିଟରି ମଧ୍ୟରେ ପଶି ରହିଛୁ। ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାକୁ ଦୈନିକ ୨ଘଣ୍ଟା ସମୟ ଦିଆଯାଉଛି କିନ୍ତୁ, ସହରର ସବୁ ଦୋକାନ ଓ ପରିବହନ ବ୍ୟବସ୍ଥା ବନ୍ଦ ରହିଛି। ଖୁବ୍‌ ଶୀଘ୍ର ଆମ ପାଖରୁ ଖାଦ୍ୟ ଓ ପାନୀୟ ସରିଯିବ।

ଗୌରବ ଆହୁରି କହିଛନ୍ତି ଯେ, ଆମକୁ ଉଦ୍ଧାର କରିବା ନିମନ୍ତେ ଚୀନ୍‌ରେ ଥିବା ଭାରତୀୟ ଦୂତାବାସ ଆମ ସହ ଯୋଗାଯୋଗ ରଖିଛି କିନ୍ତୁ, ଆମକୁ ଏଠାରୁ ଯଥା ଶୀଘ୍ର ଉଦ୍ଧାର କରିବାକୁ ଆମେ ଭାରତ ସରକାରଙ୍କୁ ନିବେଦନ କରୁଛୁ। ନିବେଦନ କରିଥିବା ଛାତ୍ରଛାତ୍ରୀମାନେ ଆସାମ, ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ଜମ୍ମୁ ଓ କଶ୍ମୀର ଅଞ୍ଚଳର।

Comments are closed.