Odisha Link
Bridging the Missing Links in Odisha

ସଂସଦରେ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୦୨୧ ବର୍ଷ ପାଇଁ ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ କରିଛନ୍ତି। ସର୍ଭେ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଜିଡ଼ିପି ଅଭିବୃଦ୍ଧି ହାର ୫% ରହିଥିବା ଆକଳନ ହୋଇଛି । ୨୦୨୦-୨୧ ବର୍ଷରେ ଜିଡ଼ିପି ଅଭିବୃଦ୍ଧି ହାର ୬%ରୁ ୬.୫% ରହିବା ଆକଳନ କରାଯାଇଛି। ବାର୍ଷିକ ଅର୍ଥନୈତିକ ସର୍ଭେ ରିପୋର୍ଟ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଟିମ୍‌ ଦ୍ୱାରା ପ୍ରସ୍ତୁତ ହୋଇଛି।

 ଦେଶରେ ବ୍ୟବସାୟ ପାଇଁ ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ନେଇ କିଛି ସଂସ୍କାର ଆଣିବାକୁ ନିଷ୍ପତ୍ତି ନିଆଯାଇଛି। ବନ୍ଦର ଗୁଡ଼ିକରେ ରପ୍ତାନୀ ବୃଦ୍ଧିରେ ସମସ୍ୟା ସୃଷ୍ଟି କରୁଥିବା କିଛି ପ୍ରସଙ୍ଗରେ ସମାଧାନ କରାଯିବାକୁ ଏଥିରେ ଗୁରୁତ୍ୱ ଦିଆଯାଇଛି। ଯଦିଓ ବିଶ୍ୱସ୍ତରର ଦୁର୍ବଳ ଅଭିବୃଦ୍ଧିର ଭାରତରେ ପ୍ରଭାବ ପଡ଼ିଥିବା ସ୍ୱୀକାର କରାଯାଇଛି, ଏଥିରେ କୁହାଯାଇଛି ଦେଶର ଆର୍ଥିକ କ୍ଷେତ୍ରରେ କିଛି ସମସ୍ୟା କାରଣରୁ ନିବେଶ ଧୀମା ହୋଇଛି।

ଏଥିସହିତ ସବୁ ଶ୍ରେଣୀର ଲୋକଙ୍କ ପାଖରେ ଧନ ପହଞ୍ଚିବା ନେଇ ଏଥିରେ ଗୁରୁତ୍ୱ ଦିଆଯିବା ସହ ୧୦ଟି ନୂତନ ଦିଗ ବାବଦରେ କୁହାଯାଇଛି, ଯାହାକି ଭାରତୀୟ ଅର୍ଥନୀତିକୁ ବଡ଼ ସଫଳତା ଦେବ। ଆସନ୍ତା ଆର୍ଥିକ ବର୍ଷରେ ଅର୍ଥନୀତିରେ ସୁଧାର ଆଣିବାକୁ ହେଲେ ଯଥାଶୀଘ୍ର ଅର୍ଥନୀତିକ ସଂସ୍କାର କରିବାକୁ ହେବ ବୋଲି ଏଥିରେ କୁହାଯାଇଛି। ଏହାର କାରଣ ସ୍ୱରୂପ କୁହାଯାଇଛି, ଏହାହିଁ ଏକମାତ୍ର ବାଟ। ଏତଦ୍‌ବ୍ୟତୀତ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ପରିଚାଳନା ସୁଦୃଢ଼ କରିବା ବାବଦରେ ଏଥିରେ ଉଲ୍ଲେଖ କରାଯାଇଛି।

Comments are closed.