Odisha Link
Bridging the Missing Links in Odisha

ଭାରତ ବିଶ୍ୱର ତୃତୀୟ ବୃହତ୍‌ ‘ଷ୍ଟାର୍ଟ-ଅପ୍‌ ଇକୋସିଷ୍ଟମ୍‌’ : ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ପାର୍ଲାମେଣ୍ଟ୍‌ର ବଜେଟ୍‌ ଅଧିବେଶନରେ ଉଭୟ ଗୃହର ସଦସ୍ୟମାନଙ୍କୁ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଲେ କି, ଭାରତ ବିଶ୍ୱର ତୃତୀୟ ବୃହତ୍‌ ‘ଷ୍ଟାର୍ଟ-ଅପ୍‌ ଇକୋସିଷ୍ଟମ୍‌’। ୨୦୨୦ ହେଉଛି ଭାରତ ସ୍ୱାଧୀନତାର ୭୫ତମ ବର୍ଷ। ଭାରତର ସମୃଦ୍ଧି ନିମନ୍ତେ ଏହି ଦଶନ୍ଧି ହେଉଛି ଗୁରୁତ୍ୱପୂର୍ଣ୍ଣ। ଏ ଦଶନ୍ଧିକୁ ଭାରତର ଦଶନ୍ଧି କରିବାକୁ ମୋ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରୁଛନ୍ତି। ଭାରତରେ ବୈଦେଶିକ ବିନିମୟ ରିଜର୍ଭ ମଧ୍ୟ ରେକର୍ଡ ଉଚ୍ଚରେ ରହିଛି ଏବଂ ଏଫ୍‌ଡିଆଇ ମଧ୍ୟ ବଢ଼ିଛି। ୫ ଟ୍ରିଲିୟନ୍‌ ଡଲାର୍‌ ଅର୍ଥନୀତି ହାସଲ କରିବାକୁ ମୋ ସରକାର ପ୍ରତିବଦ୍ଧ।

ରାଷ୍ଟ୍ରପତି କହିଲେ, ୨୦୧୯ରେ ଗୁରୁତ୍ୱପୂର୍ଣ୍ଣ ଆଇନ୍‌ ପାରିତ ହୋଇଛି। ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଦ୍ୱାରା ସମ୍ବିଧାନର ଧାରା ୩୭୦ ଏବଂ ୩୫-ଏ ଉଚ୍ଛେଦ ହେବା ଐତିହାସିକ। ଏହା ଜମ୍ମୁ ଓ କଶ୍ମୀର ଏବଂ ଲଦାଖକୁ ମୁଖ୍ୟ ଧାରାରେ ସାମିଲ କରିଛି। ରାମଜନ୍ମଭୂମି ପ୍ରସଙ୍ଗରେ ସୁପ୍ରିମ୍‌ କୋର୍ଟଙ୍କ ରାୟ ପ୍ରଶଂସାଯୋଗ୍ୟ। ସରକାରଙ୍କ କର୍‌ତାର୍‌ପୁର ସାହିବ କରିଡର୍‌ ନିର୍ମାଣ, ଜଳ ଜୀବନ ମିସନ୍‌ ଆଦି ଲୋକଙ୍କୁ ଉପକୃତ କରାଉଛି।‘ସିଏଏ’ ଗାନ୍ଧୀଜୀଙ୍କ ସ୍ୱପ୍ନକୁ ସାକାର କରିଛି। ‘ସିଏଏ’ ଆଇନ୍‌ରେ ପରିଣତ ହେବାରୁ ଜାତିର ଜନକ ଗାନ୍ଧୀଙ୍କର ଆଶା ପୂର୍ଣ୍ଣ ହୋଇଛି। ସବୁ ଧର୍ମର ଲୋକଙ୍କୁ ନାଗରିକତା ମଞ୍ଜୁର କରିବା ପ୍ରକ୍ରିୟା ପୂର୍ବଭଳି ରହିଛି। ଏଥିସହ ଯୁବସମ୍ପ୍ରଦାୟଙ୍କ ମଧ୍ୟରେ ବାଣିଜ୍ୟ ପାଇଁ ପ୍ରୋତ୍ସାହନ ଦିଆଯାଉଛି। ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍‌ ‘ଷ୍ଟାର୍ଟ-ଅପ୍‌ ଇକୋସିଷ୍ଟମ୍‌’।

ସୂଚନାଯୋଗ୍ୟ, ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ଦେଶବ୍ୟାପୀ ଆର୍ଥିକ ମାନ୍ଦାବସ୍ଥା ଚାଲିଥିବାବେଳେ ଏହି ଅଧିବେଶନ ଅତ୍ୟନ୍ତ ଗୁରୁତ୍ବ ବହନ କରୁଛି। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଚାଲିବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟ ଆଜି ଠାରୁ ଆରମ୍ଭ ହୋଇ ଫେବୃଆରୀ ୧୧ ପର୍ଯ୍ୟନ୍ତ ଚାଲିବ ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୨ରୁ ଏପ୍ରିଲ ୩ ପର୍ଯ୍ୟନ୍ତ ଚାଲିବ।

Comments are closed.