Odisha Link
Bridging the Missing Links in Odisha

ଘୁର୍ଣ୍ଣିବଳୟରେ ଛାରଖାର ହୋଇଗଲା ଫୁଲବାଣୀ ସହର

ଫୁଲବାଣୀ: ଆଜିର ଘୁର୍ଣ୍ଣିବଳୟରେ ଛାରଖାର ହୋଇଛି ଯାଇଛି ଫୁଲବାଣୀ ସହର। ସହରର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡିପଡିଥିବାବେଳେ ବିଦ୍ୟୁତ ତାର ଛିଣ୍ଡିପଡିଛି। ମିଳିଥିବା ସୂଚନା ମୁତାବକ ଆଜି ସକାଳ ୮.୧୨ରୁ ୮.୧୫ ମିନିଟ ମଧ୍ୟରେ ହୋଇଥିବା ଘୁର୍ଣ୍ଣିବଳୟ ସହ ବର୍ଷା ଯୋଗୁଁ ସହରର ସ୍ଥାନେ ସ୍ଥାନେ ବଡ଼ ବଡ଼ ଗଛ ଉପୁଡିପଡିଥିବାବେଳେ ଲୋକଙ୍କ ଘର ସାମ୍ନାରେ ଥିବା କାର ଉପରେ ଗଛ ପଡିଯାଇଥିଲା।
ଜିଲ୍ଲାପାଳଙ୍କ ଅଫିସ ସହ ଏସପି ଅଫିସ ସାମ୍ନାରେ ଥିବା ଗଛ ଉପୁଡିପଡିଥିବାରୁ ସହରର ମୁଖ୍ୟ ରାସ୍ତା ଅବରୋଧ ହୋଇଯାଇଥିଲା। ସମଗ୍ର ସହରରେ ବିଦ୍ୟୁତ ତାର ଛିଣ୍ଡିଯାଇଥିବାରୁ ବିଦ୍ୟୁତ ସେବା ବନ୍ଦ ହୋଇଯାଇଛି। ତେବେ ଏଥିରେ କେହି ଆହତ ହୋଇନାହାନ୍ତି। ଏଠାରେ ସୂଚନା ଥାଉ କି ରାଜ୍ୟରେ ଜାରି ରହିଥିବା ବର୍ଷା ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗିରହିବ।
ମଙ୍ଗଳବାରଠାରୁ ବୁଧବାର ସକାଳ ପର୍ଯ୍ୟନ୍ତ ଅର୍ଧାଧିକ ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ସ୍ଥାନେ ସ୍ଥାନେ ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ଝଡ଼ବର୍ଷାକୁ ଦୃଷ୍ଟିରେ ରଖି ୨୫ ଓ ୨୬ ତାରିଖ ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା।

Comments are closed.