Odisha Link
Bridging the Missing Links in Odisha

ଓଡ଼ିଆ ବୋହୁ ହୋଇ ବହୁତ ଖୁସି: ଝିଲିକ

ଭୁବନେଶ୍ବର: ସବୁ ଚର୍ଚ୍ଚା ଆଲୋଚନାର ଅବସାନ ଘଟେଇ ଶେଷରେ ଅଭିନେତ୍ରୀ ଝିଲିକ୍‌ଙ୍କ ହାତ ଧରିଛନ୍ତି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ। ବୁଧବାର ଦୁଇ ପରିବାରର ଉପସ୍ଥିତିରେ ଇଞ୍ଜିନିୟର ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ ଝିଲିକ ଭଟ୍ଟାଚାର୍ଯ୍ୟ।

ବିବାହ ବନ୍ଧନରେ ବାନ୍ଧି ହେଲା ପରେ ଗୁରୁବାର ଅପରାହ୍ଣରେ ସର୍ବସମ୍ମୁଖକୁ ଆସିଥିଲେ ପ୍ରୀତିରଞ୍ଜନ ଓ ଝିଲିକ୍। ସିଧାସଳଖ ରାଜଧାନୀର ଡୁମୁଡୁମାରେ ଥିବା ପ୍ରତିଭା ଶିଶୁ ଯତ୍ନ ଗୃହରେ ପହଂଚିଯାଇଥିଲେ ନବବିବାହିତ ଦମ୍ପତ୍ତି। ସେଠାରେ ଥିବା ୩୫ ଜଣ ଅନ୍ତେବାସୀ ଦୁହିଁଙ୍କୁ ସ୍ୱାଗତ କରି ଭିତରକୁ ପାଛୋଟି ନେଇଥିଲେ। ସେଠାରେ ଥିବା ପିଲାମାନଙ୍କୁ ପ୍ରଥମେ ଚକୋଲେଟ୍ ଓ ପରେ ମିଠା ଖୁଆଇ ଦେଇଥିଲେ ଉଭୟ। ଏହି ଅବସରରେ ଅଭିନେତ୍ରୀ ଝିଲିକ୍ ଓ ରାଜନେତା ପ୍ରୀତିରଞ୍ଜନଙ୍କୁ ପାଖରେ ପାଇ ବେଶ ଖୁସି ହୋଇଥିଲେ ପିଲାମାନେ। ଉଭୟଙ୍କ ସାମ୍ନାରେ ଗୀତ ବୋଲିବା ସହ ନାଚିଥିଲେ ଅନ୍ତେବାସୀ। ପିଲାମାନଙ୍କ ନାଚର ବିମୋହିତ ହୋଇ ସେମାନଙ୍କ ସହ ପାଦ ମିଳାଇ ନାଚିଥିଲେ ଝିଲିକ ଭଟ୍ଟାଚାର୍ଯ୍ୟ।

ଏଠାରେ ଭରପୁର ମଜା ଉଠାଇବା ପରେ ବିଧାୟକ ଭାବେ ମିଳୁଥିବା ଗୋଟିଏ ମାସର ଦରମା ୧ ଲକ୍ଷ ଟଙ୍କାକୁ ପ୍ରତିଭା ଶିଶୁ ଯତ୍ନ ଗୃହକୁ ଦାନ କରିଥିଲେ ଉଭୟ ଦମ୍ପତ୍ତି। ରାଜନେତାଙ୍କୁ ଅଭିନେତ୍ରୀ ବିବାହ କରିବା କିଛି ନୂଆ କଥା ନୁହେଁ ଓ ଦୁହେଁ ସାଧାରଣ ଜୀବନଚର୍ଯ୍ୟାରେ ରହିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ଜୁନିୟର ଘଡ଼ାଇ। ବିବାହକୁ ନେଇ ଝିଲିକ କହିଛନ୍ତି ଯେ, ବେଙ୍ଗଲି ଝିଅ ହୋଇ ଏଠି କ୍ୟାରିଅର ଆରମ୍ଭ କଲି। ପରେ ଓଡ଼ିଆ ଝିଅ ମଧ୍ୟ ହେଲି। ଆଉ ଏବେ ଓଡ଼ିଆ ବୋହୁ ହୋଇ ବହୁତ ଖୁସି ଲାଗୁଛି।

Comments are closed.