ଟଙ୍କା ଜମା ପଛରେ ବିଜୟ ସାହୁଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଲେ ମୋହନ ମାଝୀ

ଭୁବନେଶ୍ୱର: ୟେସ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମା ହୋଇଥିବା ୫୪୫ କୋଟି ଟଙ୍କାର ଭବିଷ୍ୟତ ନେଇ ଗତ କିଛି ଦିନ ହେଲା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହାକୁ ନେଇ ବିଧାନସଭାର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନ ଅର୍ଥାତ ବୁଧବାର ହୁଲସ୍ତୁଲ ହୋଇଥିଲା। ବିରୋଧୀଙ୍କ ତୀବ୍ର ଭର୍ତ୍ସନା ଓ ହୋହଲ୍ଲା ଭିତରେ ଗୃହ କାର୍ଯ୍ୟ ସମ୍ଭବ ହୋଇନଥିଲା। ପୂରା ଦିନ ବିଧାନସଭା ଅଚଳ ହୋଇଯାଇଥିଲା। ଗୁରୁବାର ବି ସମ ଅବସ୍ଥା। ୟେସ ବ୍ୟାଙ୍କରେ ଜଗନ୍ନାଥ ଟଙ୍କା ନେଇ ଆଜି ବି ବିଧାନସଭା ହୁଲସ୍ତୁଲ ହୋଇଛି। ଟଙ୍କା ଜମା ପଛରେ ବିଜୟ ସାହୁଙ୍କ ଭୂମିକା ନେଇ ପ୍ରଶ୍ନ ଉଠିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରଶ୍ନ ଉଠାଇଛନ୍ତି।
ସେ କହିଛନ୍ତି ଯେ, ବ୍ୟାଙ୍କ ଦେବାଳିଆ ଖବର ଥାଇ ବି ବିଜୟଙ୍କ ଯୁକ୍ତି ରହସ୍ୟଜନକ ଥିଲା । ୟେସ ବ୍ୟାଙ୍କ କମିଶନ ଟଙ୍କାରେ ଦୁଇ ଜଣ ୟୁରୋପ ଗସ୍ତରେ ଗଲେ। ପ୍ରଦୀପ୍ତ ମହାପାତ୍ର ଓ ବିଜୟ ସାହୁ କମିଶନ ଟଙ୍କାରେ ୟୁରୋପ ଗଲେ। ଏକଥା ମାଧବ ମହାପାତ୍ର ଉଠାଇବାରୁ ତାଙ୍କୁ ଶ୍ରୀମନ୍ଦିର ପରିଚାଳନା ଅର୍ଥ ସବକମିଟିରୁ କାଢିଦେଲେ। ବିଜୟଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା କାହିଁକି ଦିଆଯାଇଛି ଓ ଏହା ପଛରେ କି ଉଦେ୍ଧଶ୍ୟ ରହିଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପ୍ରଶ୍ନ କରିଛନ୍ତି। ଏଥିସହ ଚିଟ ଫଣ୍ଡ ଯାହା ୟେସ ବ୍ୟାଙ୍କ ସେୟା ବୋଲି ଶ୍ରୀ ମାଝୀ କହିଛନ୍ତି।