Odisha Link
Bridging the Missing Links in Odisha

ଘରକୁ ଫେରି ଅନୁଭୂତି ବଖାଣିଲେ ଓଡିଆ ଯନ୍ତ୍ରୀ ଶିବାଶିଷ

ଭୁବନେଶ୍ବର: ଜାପାନ ଉପକୂଳରେ ଡାଇମଣ୍ଡ ପ୍ରିନସେନ୍ସ ଜାହାଜରେ ଦୀର୍ଘଦିନ ଧରି ଫସିଥିବା ଓଡ଼ିଆ ଇଂଜିନିୟର ଶିବାଶିଷ ନାୟକ ନିଜ ଘରକୁ ଫେରିଛନ୍ତି। ତାଙ୍କ ଦେହରେ କରୋନା ଭୂତାଣୁ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ମାନେସାରରେ ଥିବା କ୍ୱାରାଂଟାଇନ୍ ସେଂଟର କ୍ଲିନ୍ ଚିଟ୍ ଦେଇଥିଲା। ତାଙ୍କ ସ୍ୱାବ ରିପୋର୍ଟ ନେଗେଟିଭ ଆସିଥିଲା। ଜାପାନରୁ ଫେରିବା ପରେ ତାଙ୍କୁ ୧୪ ଦିନ ଧରି ହରିୟାଣାର ମାନେସାର ଠାରେ କ୍ୱାରାଂଟାଇନ୍ ସେଂଟରରେ ରଖାଯାଇଥିଲା।
ଶିବାଶିଷଙ୍କର ଫେବ୍ରୁଆରି ୨୭ ଓ ମାର୍ଚ୍ଚ ୧୧ ତାରିଖରେ ନମୂନା ପରୀକ୍ଷା କରାଯାଇଥିଲା। ଦୁଇଟି ଯାକ ନମୂନା ରିପୋର୍ଟ ନେଗେଟିଭ୍ ଆସିଥିଲା। ଫଳରେ ବ୍ରହ୍ମପୁରର ଶିବାଶିଷ ନାୟକଙ୍କୁ ଘରକୁ ଫେରିବା ପାଇଁ ଅନୁମତି ମିଳିଥିଲା। ଗତକାଲି ରାତିରେ ସେ ବ୍ରହ୍ମପୁର ଫେରିଛନ୍ତି। କରୋନାର କୋକୁଆ ଭୟ ଭିତରେ ଜାହାଜରେ ସେତେବେଳର ମୁହୂର୍ତ୍ତ କଷ୍ଟଦାୟକ ଥିଲା ବୋଲି ପ୍ରତିକ୍ରିୟା ରଖିଛନ୍ତି ଶିବାଶିଷ। ସେ କହିଛନ୍ତି, ଜାହାଜ ଭିତରେ ୨୪ ଘଣ୍ଟାରୁ ଅଧଘଣ୍ଟା ବାହାରକୁ ବାହାରିବାକୁ ଅନୁମତି ମିଳୁଥିଲା। ସମସ୍ତ ଯାତ୍ରୀ ଭୟରେ ଥିଲେ। ଠିକ ସେ ଖାଇବାକୁ ମିଳୁନଥିଲା। ଅଧିକାଂଶ ସମୟ ଫଳ ଖାଇ ରହିଥିଲେ ବୋଲି କହିଛନ୍ତି ଶିବାଶିଷ। କରୋନା ଭୂତାଣୁ ରିପୋର୍ଟ ନେଗେଟିଭ୍ ଆସିଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରତି ନଜର ରଖିବାକୁ ପରାମର୍ଶ ଦିଆଯାଇଛି।
ସେପଟେ, କଟକର ଜଣେ ଯୁବକ ଫସି ରହିଛନ୍ତି ଇରାନରେ। ‘ଆରିଓ ମାର୍କନ ସି’ ନାମକ ଇରାନର ଏକ ମେରାଇନ୍ କଂପାନୀରେ ଗତ ବର୍ଷ ସେପ୍ଟେମ୍ବର ମାସରେ ଯୋଗ ଦେଇଥିଲେ କଟକର ମୁଫିଜ ରହେମାନ୍। କାର୍ଯ୍ୟରେ ଥାଇ ଘର ଲୋକଙ୍କ ସହ ଭିଡିଓ କଲ୍ ଜରିଆରେ ନିୟମିତ କଥା ହେଉଥିଲେ ମୁଫିଜ୍। ତେବେ ଫେବ୍ରୁଆରୀ ୧୫ ତାରିଖରୁ ଆଉ ଘର ଲୋକଙ୍କ ସହ ତାଙ୍କର ସଂପର୍କ ହୋଇ ପାରୁନାହିଁ। ଇରାନରେ କରୋନା ଭୟଙ୍କର ରୂପ ନେଉଥିବା ବେଳେ ଏବେ ମୁଫିଜକୁ ନେଇ ଚିନ୍ତାରେ ପରିବାର। ମୁଫିଜ କାମ କରୁଥିବା କଂପାନୀକୁ ଫୋନ କଲେ ପୁଅ ସଂପର୍କରେ କିଛି ଜଣାଉନଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ମୁଫିଜ୍ ଥିବା ଜାହାଜକୁ ସମୁଦ୍ର ମଝିରେ ଅଟକାଇ ରଖାଯାଇଛି। ରାଜ୍ୟ ସରକାର ହସ୍ତକ୍ଷେପ କରି ତୁରନ୍ତ ତାଙ୍କ ପୁଅକୁ ଘରକୁ ଫେରାଇ ଆଣିବା ଲାଗି କାନ୍ଦି କାନ୍ଦି ଅନୁରୋଧ କରିଛନ୍ତି ମୁଫିଜଙ୍କ ମାଆ।

Comments are closed.