Odisha Link
Bridging the Missing Links in Odisha

କରୋନା : ପୁରୀ ସି ବିଚ୍‌ରେ କଟକଣା

ପୁରୀ: ପୁରୀ ସମୁଦ୍ର କୂଳରେ କର୍ଯ୍ୟଟକଙ୍କ ପାଇଁ କଟକଣା ଜାରି କରାଯାଇଛି। ପର୍ଯ୍ୟଟକଙ୍କୁ ହୋଟେଲ ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ସମୁଦ୍ର କୂଳରୁ ଉଠା ଦୋକାନୀମାନଙ୍କୁ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରକାଶ ଯେ, କୋଟି କୋଟି ଓଡ଼ିଆଙ୍କ ହୃଦୟର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଶେଷରେ ୧୫ ଦିନିଆ ‘କରୋନା’ ବାଡ଼ ପଡ଼ିଛି। ଭକ୍ତଙ୍କ ଦର୍ଶନ କ୍ଷେତ୍ରରେ ଆସନ୍ତାକାଲିଠାରୁ କଟକଣା ଲାଗୁ କରିବାକୁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଘୋଷଣା ପତ୍ର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ। ଯେଉଁମାନେ ଘୋଷଣା ପତ୍ର ଦେବେନି, ସେମାନେ ଦର୍ଶନରୁ ବଞ୍ଚିତ ହେବେ। ଏହି ଭକ୍ତମାନେ ଶ୍ରୀମନ୍ଦିରକୁ ଯିବେ ସତ, କିନ୍ତୁ ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭକୁ ଛୁଇଁ ପାରିବେନି କିମ୍ବା ଭିତର କାଠରେ ଟଙ୍କା ଲଗାଇବା ସ୍ଥାନକୁ ସ୍ପର୍ଶ କରିପାରିବେ ନାହିଁ। ଯେଉଁ ଭକ୍ତମାନେ ମନ୍ଦିରକୁ ଯିବେ, ସେମାନେ ଧାଡ଼ିରେ ଦର୍ଶନ ପାଇଁ ଯିବେ ଓ ଧାଡ଼ିରେ ଦର୍ଶନ ସାରି ଫେରିବେ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶାନିଯୋଗ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ଅତି ଆବଶ୍ୟକ ନଥିଲେ ଶ୍ରୀମନ୍ଦିରକୁ ନ ଆସିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଭକ୍ତମାନଙ୍କୁ ନିବେଦନ କରିଛନ୍ତି।

ଛତିଶାନିଯୋଗ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କି୍ରଷନ କୁମାର କହିଛନ୍ତି ଯେ ଶ୍ରୀମନ୍ଦିରରେ ‘କରୋନା’ ଭୂତାଣୁ ପାଇଁ ଏପି୍ରଲ ୧ ପର୍ଯ୍ୟନ୍ତ ବିଭିନ୍ନ କଟକଣା ଲଗାଇବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁଯାୟୀ, ଯେଉଁ ଭକ୍ତମାନେ ପୁରୀକୁ ଆସିବାକୁ ଚାହୁଁଛନ୍ତି ଅବା ପୂର୍ବ ପ୍ରସ୍ତୁତି କରି ସାରିଛନ୍ତି, ତାହାକୁ ସ୍ଥଗିତ ରଖିବାକୁ ନିବେଦନ କରାଯାଇଛି। ତଥାପି ଯଦି କାହାରି ମାନସିକ ରହିଛି, ସେମାନେ ଦର୍ଶନ ପାଇଁ ଆସିପାରିବେ। କିନ୍ତୁ ଦର୍ଶନ ପୂର୍ବରୁ ଏମାନଙ୍କ ପାଇଁ ନିର୍ଦ୍ଧିଷ୍ଟ କଟକଣା ଲଗାଯାଇଛି। ଦର୍ଶନ ପୂର୍ବରୁ ଏହି ଭକ୍ତମାନଙ୍କୁ ଏକ ଘୋଷଣା ପତ୍ର ପୂରଣ କରିବାକୁ ପଡ଼ିବ। ଯେଉଁଥିରେ ଭକ୍ତ ଓ ସେମାନଙ୍କ ପରିବାର ସମ୍ପର୍କରେ ବିସ୍ତୃତ ସୂଚନା ରହିବ। ବିଶେଷ କରି ସ୍ୱାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ ଭକ୍ତମାନେ ଏହି ଘୋଷଣାପତ୍ର ଜରିଆରେ ତଥ୍ୟ ପ୍ରଦାନ କରିବେ। ଗତ ୧୫ ଦିନ ଭିତରେ ଉକ୍ତ ଅବା ସେମାନଙ୍କ ପରିବାର ବିଦେଶ ଯାଇଛନ୍ତି କି ନାହିଁ ସେ ସମ୍ପର୍କରେ ସ୍ପଷ୍ଟ କରିବେ।

Comments are closed.