Odisha Link
Bridging the Missing Links in Odisha

ଏମକେସିଜିରେ ପୁଣି ଜଣେ କରୋନା ସନ୍ଦିଗ୍ଧ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ସୋମବାର ପୁଣି ଜଣେ କରୋନା ସନ୍ଦିଗ୍ଧଙ୍କୁ ଭର୍ତ୍ତି କରାଯାଇଛି। ସନ୍ଦିଗ୍ଧ ଜଣକ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ଜନୈକା ୭୦ ବର୍ଷୀୟା ବୃଦ୍ଧା ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ତାଙ୍କର ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ। ସେପଟେ ୱାର୍ଡରୁ ଚମ୍ପଟ ମାରିଥିବା ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଜଣେ କରୋନା ସନ୍ଦିଗ୍ଧ ଯୁବକ ରାତିରେ ଡାକ୍ତରଖାନା ଫେରିଛନ୍ତି। ପୂର୍ବରୁ ଚିକିଟିର ଜଣେ ଓ କୃଷ୍ଣପ୍ରସାଦ ବ୍ଲକର ସମ୍ପୃକ୍ତ ଯୁବକଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା ନିମନ୍ତେ ଭୁବନେଶ୍ୱର ପଠାଯାଇଥିଲା। ସେମାନଙ୍କର ରିପୋର୍ଟ ନେଗେଟିଭ ଆସିଥିବା ଡା.ଉମାଶଙ୍କର ମିଶ୍ର ସୂଚନା ଦେଇଛନ୍ତି। ତେବେ ଉଭୟ ରୋଗୀଙ୍କୁ ଡିସଚାର୍ଜ କରାଯାଇ ନାହିଁ । ସେମାନେ ଡାକ୍ତରଙ୍କ ନୀରିକ୍ଷଣରେ ରହିଛନ୍ତି।

ସୂଚନାଯୋଗ୍ୟ ଯେ, ଦିଗପହଣ୍ଡି ଅଞ୍ଚଳର ଜନୈକା ବୃଦ୍ଧା ଗତ କିଛି ଦିନ ହେଲା ରାଜସ୍ଥାନର ମାଉଣ୍ଟଆବୁ ଯାଇଥିଲେ । ସେଠାରେ ତାଙ୍କର ଦେହ ଅସୁସ୍ଥ ହୋଇ ଜ୍ୱର, କାଶ ହୋଇଥିଲା। ୫ ଦିନ ତଳେ ସେ ଘରକୁ ଫେରିଥିଲେ। ଏହା ପରେ ସେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଦେହ ଭଲ ନ ହେବାରୁ ସୋମବାର ଅପରାହ୍ନରେ ତାଙ୍କ କରୋନା ୱାର୍ଡରେ ଭର୍ତ୍ତି କରାଯାଇଛି। ବଡ଼ ଡାକ୍ତରଖାନା କରୋନା ୱାର୍ଡରେ ମୋଟ ୪ ଜଣ ସନ୍ଦିଗ୍ଧ ରହିଛନ୍ତି । ଅଦ୍ୟାବଧି କାହାରି ରିପୋର୍ଟ ପଜିଟିଭ ଆସି ନାହିଁ । ତେଣୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ମେଡିକାଲ ପ୍ରଶାସନ ତରଫରୁ କୁହାଯାଇଛି।

Comments are closed.