Odisha Link
Bridging the Missing Links in Odisha

ନୌବାହିନୀରେ ମହିଳାଙ୍କୁ ସମାନ ଅଧିକାର

ନୂଆଦିଲ୍ଲୀ: ମହିଳା ନୌସେନା ଅଧିକାରୀଙ୍କ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଭାରତୀୟ ନୌସେନାରେ ମହିଳା ଅଧିକରୀଙ୍କୁ ସ୍ଥାୟୀ କମିଶନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ୩ ମାସ ଭିତରେ ନୌସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ୍‌ ଲାଗୁ ହେବ। ପୁରୁଷ ଅଧିକାରୀଙ୍କ ପରି ଇନ୍‌କ୍ରିମେଣ୍ଟ ସହ କମିଶନ୍‌ ଲାଗୁ କରାଯିବ। ଏହା ପୂର୍ବରୁ ସ୍ଥଳସେନାରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନ ମଞ୍ଜୁରୀ ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

କୋର୍ଟ ଏହି ଅବସରରେ ଆହୁରି ମଧ୍ୟ କହିଛନ୍ତି, ମହିଳା ଓ ପୁରୁଷଙ୍କୁ ସମାନ ଦକ୍ଷତାର ସହ ନୌକାୟନ ବା ନୌଚାଳନା କରିପାରିବେ। ଏଥିରେ କୌଣସି ଭେଦଭାବ କରାଯିବା ଉଚିତ ନୁହେଁ। ଏହା ପୂର୍ବରୁ କୋର୍ଟ କହିଥିଲେ, ସାମାଜିକ ଓ ମାନସିକ କାରଣ ଦର୍ଶାଇ ମହିଳା ଅଧିକାରୀଙ୍କ ପ୍ରତି ଭେଦଭାବ କରିବାକୁ ବରଦାସ୍ତ କରାଯାଇ ପାରିବନି।

ପୂର୍ବରୁ କେନ୍ଦ୍ର ସରକାର ଲୋକସଭାରେ କହିଥିଲେ, ମହିଳାଙ୍କୁ ସ୍ଥାୟୀ କମିଶନ ଦେବାରେ ସରକାର ପ୍ରସ୍ତୁତ ଅଛନ୍ତି। ଏହି ପ୍ରସଙ୍ଗରେ ସରକାର ସୁପ୍ରିମକୋର୍ଟଙ୍କ ଆଦେଶକୁ ଗମ୍ଭୀରତାର ସହ ପାଳନ କରିବେ ବୋଲି କେନ୍ଦ୍ର ରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଇକ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ମହିଳା ଓ ପୁରୁଷଙ୍କ ମଧ୍ୟରେ କୌଣସି ପ୍ରକାର ଭେଦଭାବ କରାଯିବ ନାହିଁ। ସ୍ଥାୟୀ କମିଶନ ମିଳିବାକୁ ଥିବା ବିଭାଗଗୁଡ଼ିକ ହେଲା ଆଡଭୋକେଟ୍‌ ଜେନେରାଲ, ସେନା ଶିକ୍ଷା, ସିଗ୍ନାଲ, ଇଞ୍ଜିନିଅର, ଆର୍ମି ଆଭିଏସନ୍‌, ଆର୍ମି ଏୟାର ଡିଫେନ୍ସ, ଇଲେକ୍ଟ୍ରୋନିକ୍ସ ଓ ମେକାନିକାଲ ଇଞ୍ଜିନିଅର, ଆର୍ମି ସର୍ଭିସ୍‌ ଫୋର୍ସ ଏବଂ ଇଣ୍ଟେଲିଜେନ୍ସ କୋର୍‌।

Comments are closed.