Odisha Link
Bridging the Missing Links in Odisha

ପାରିତ ହେଲା ବ୍ୟୟମଞ୍ଜୁରୀ ବିଲ୍

ଭୁବନେଶ୍ବର: ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିା ବଜେଟ ଅଧିବେଶନରେ ପାରିତ ହେଲା ବ୍ୟୟମଞ୍ଜୁରି ବିଲ୍। ଏ ନେଇ ବିଜେଡିର ବରିଷ୍ଠ ନେତା ଅମର ଶତପଥୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିସହ ଆଜିଠୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି ବୋଲି ଶ୍ରୀ ଶତପଥୀ କହିଛନ୍ତି।

ଇତିହାସରେ ପ୍ରଥମ ଥର ପାଇଁ ବିଧାନସଭା ପରିସର ବାହାରେ ଅନୁଷ୍ଠିତ ହୋଇଛି ବଜେଟ ଅଧିବେଶନ। ପ୍ରଥମ ଥର ପାଇଁ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏହି ବୈଠକ ବସିଛି। ସୋମବାର ଦିନ ପୂର୍ବାହ୍ନ ୧୦ଟା ୩୦ରେ ମାତ୍ର ୩୦ ମିନିଟ୍ ସମୟରେ ଅସମାପ୍ତ ବଜେଟ ଅଧିବେଶନ ଆଜି ବସିଥିଲା ଓ ଏଥିରେ ବ୍ୟୟମଞ୍ଜୁରି ବିଲ୍ ଆଗତ ହୋଇ ପାରିତ ହୋଇଛି। ଅଧିକାଂଶ ବିଧାୟକ ଆଜି ମୁହଁରେ ମାସ୍କ୍ ପିନ୍ଧି ଆସିଥିବାର ଦେଖିବାକୁ ମିଳିଥିଲା। ସେମାନଙ୍କ ଭିତରୁ କିଛି ବିଧାୟକ ନିଜେ ଗାଡ଼ି ଚଳାଇ ବିଧାନସଭାକୁ ଆସିଥିଲେ।

କରୋନା ସତର୍କତା ସ୍ବରୂପ ହଲ୍‌ ଭିତରେ ଥିବା ଗୋଟିଏ ଧାଡ଼ିରେ ୮ରୁ ୯ ଜଣ ବିଧାୟକ ବସିବାକୁ ବ୍ୟବସ୍ଥା କରାଯାଇଥିଲା। ସାମାଜିକ ଦୂରତା ରକ୍ଷା ପାଇଁ ଜଣେ ଲେଖାଏଁ ସଦସ୍ୟଙ୍କ ମଧ୍ୟରେ ଯେପରି ଗୋଟିଏ ମିଟରରୁ ଅଧିକ ଦୂରତା ରକ୍ଷା ହେବ, ତା ଉପରେ ଗୁରୁତ୍ବ ଦିଆଯାଇଥିଲା। ଗତସନ୍ଧ୍ୟାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଧ୍ୟ ପ୍ରସ୍ତୁତି ନେଇ ଅନୁଧ୍ୟାନ କରିଥିଲେ।

ସୂଚନାଥାଉକି, ଫେବ୍ରୁଆରି ୧୪ରୁ ଆରମ୍ଭ ହୋଇଥିଲା ଷୋଡ଼ଶ ବିଧାନସଭାର ତୃତୀୟ ତଥା ବଜେଟ୍‌ ଅଧିବେଶନ। ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୨୬ ତାରିଖ ଯାଏ ଚାଲିଥିଲା। ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୧ ତାରିଖରୁ ଆରମ୍ଭ ହୋଇଥିଲା। ତେବେ କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ ଭାବେ ଗତ ୧୩ ତାରିଖରେ ବଜେଟ୍‌ ଅଧିବେଶନକୁ ୨୯ ତାରିଖ ଯାଏ ବନ୍ଦ ରଖାଯାଇଥିଲା।

Comments are closed.