Odisha Link
Bridging the Missing Links in Odisha

କାଲିଠୁ ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶି ୪ଟିରେ ପରିଣତ ହେବ

ନୂଆଦିଲ୍ଲୀ: ଏପ୍ରିଲ୍ ୧ ରୁ ଦଶଟି ବ୍ୟାଙ୍କ ମିଶ୍ରଣ ହୋଇ ଚାରୋଟି ବ୍ୟାଙ୍କରେ ପରିଣତ ହେବ। ଗତ ବର୍ଷ ଅଗଷ୍ଟ ମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧୦ଟି ସରକାରୀ କ୍ଷେତ୍ର (PSU) ବ୍ୟାଙ୍କକୁ ୪ଟି ମେଗା ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ପରିଣତ କରିବାକୁ ଘୋଷଣା କରିଥିଲେ। ଏହି ବ୍ୟାଙ୍କଗୁଡିକ ଚାରୋଟି ମେଗା PSU ବ୍ୟାଙ୍କ ସହିତ ମିଳିତ ଭାବେ ଆସନ୍ତାକାଲିଠୁ କାର୍ଯ୍ୟକାରୀ ହେବ।

ଏହାଫଳରେ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହିତ ମିଶ୍ରଣ ହେବ। ଏହାଦ୍ୱାରା ଦେଶର ଦ୍ୱିତୀୟ ସର୍ବବୃହତ୍‍ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗଠିତ ହେବ। ଅନୁରୂପ ଭାବେ ସିଣ୍ଡିକେଟ ବ୍ୟାଙ୍କକୁ କାନାରା ବ୍ୟାଙ୍କ ସହିତ ଓ ଆଲ୍ଲାହାବାଦ ବ୍ୟାଙ୍କକୁ ଇଣ୍ଡିଆନ ବ୍ୟାଙ୍କ ସହିତ ମିଶାଇଦିଆଯିବ। ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କକୁ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ସହିତ ମିଶ୍ରଣ ହେବ।

ମିଶ୍ରଣ ପରବର୍ତ୍ତୀ ସମୟରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଆକାର ୧୭.୯୪ ଲକ୍ଷ କୋଟି ଟଙ୍କା ହେବା ସହିତ ଏହା ଭାରତୀୟ ଷ୍ଟେଟ ବ୍ୟାଙ୍କ (୫୨.୦୫ ଲକ୍ଷ କୋଟି ଟଙ୍କା) ପରେ ଦେଶର ଦ୍ୱିତୀୟ ବୃହତ୍‍ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ହେବ। ସେହିଭଳି କାନାରା ବ୍ୟାଙ୍କ ୧୫.୨ ଲକ୍ଷ କୋଟି ଟଙ୍କା ସହିତ ଚତୁର୍ଥ ବୃହତ୍‍ ଏବଂ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ୧୪.୫୯ ଲକ୍ଷ କୋଟି ଟଙ୍କା ସହିତ ପଞ୍ଚମ ବୃହତ୍‍ ବ୍ୟାଙ୍କ ହେବ। ଇତିମଧ୍ୟରେ ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ମିଶ୍ରଣ ପରେ ବ୍ୟାଙ୍କ ଅଫ ବରୋଦା ଦେଶର ତୃତୀୟ ବୃହତ୍‍ ବ୍ୟାଙ୍କ ଭାବେ ଉଭା ହୋଇଛି। ଏହାର ମୋଟ ବ୍ୟବସାୟ ୧୬.୧୩ ଲକ୍ଷ କୋଟି ଟଙ୍କା ରହିଛି।

ସୂଚନାଥାଉକି, ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସର୍ବବୃହତ୍‍ ମିଶ୍ରଣ ପ୍ରୟାସର ଅଂଶସ୍ୱରୂପ ସରକାର ଗତବର୍ଷ ଅଗଷ୍ଟରେ ଦେଶରେ ଚାରିଟି ବୃହତ୍‍ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗଠନ ସମ୍ପର୍କରେ ଘୋଷଣା କରିଥିଲେ। ଏଥିସହିତ ଦେଶରେ ସମ୍ପ୍ରତି ମୋଟ ୨୭ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରହିଥିବାବେଳେ ସେହି ସଂଖ୍ୟା ୧୨କୁ ହ୍ରାସପାଇବ।

Comments are closed.