Odisha Link
Bridging the Missing Links in Odisha

କରୋନା ମୁକାବିଲା: ସେବାରେ ୬ଲକ୍ଷ ଏସଏଚ୍‍ଜିର ୭୦ଲକ୍ଷ ମହିଳା

ଭୁବନେଶ୍ୱର: କରୋନା ମୁକାବିଲାରେ ମିଶନ ଶକ୍ତି ଏବେ ଓଡିଶା ଶକ୍ତି ଭାବେ କାର୍ଯ୍ୟ କରୁଛି। ଏହି ବିପତ୍ତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିଥିବା ପଦକ୍ଷେପରେ ଏବେ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ଅଗ୍ରଭାଗରେ ଅଛନ୍ତି। ରାଜ୍ୟର ଗାଁ ଠାରୁ ସହର ପର୍ଯ୍ୟନ୍ତ ୬ଲକ୍ଷ ସ୍ୱୟଂ ସହାୟିକା ଗୋଷ୍ଠିରେ ଥିବା ୭୦ଲକ୍ଷ ମହିଳା ସଦସ୍ୟା ଏହି ମହାମାରୀ ସମୟରେ ପ୍ରମୁଖ ଦାୟିତ୍ୱ ତୁଲାଉଛନ୍ତି। ମିଶନ ଶକ୍ତିର କମିଶନର ତଥା ନିର୍ଦ୍ଦେଶକ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ତତ୍ୱାବଧାନରେ ଗାଁ ଠୁ ସହର ପର୍ଯ୍ୟନ୍ତ ତଳ ସ୍ତରର ଲୋକଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଉଛନ୍ତି ଏସ୍‍ଏଚ୍‍ଜି ସଦସ୍ୟା।

ମାର୍ଚ୍ଚ ମାସ ପ୍ରାରମ୍ଭରୁ କରୋନା ମୁକାବିଲା ଲାଗି ପ୍ରସ୍ତୁତ ସଚେତନତା ପୋଷ୍ଟର ଗୁଡିକ ୭୦ଲକ୍ଷ ମହିଳାଙ୍କ ମଧ୍ୟରେ ବଣ୍ଟାଯାଇଛି। ସେମାନେ ନିଜ ନିଜ ପରିବାର ସହିତ ସ୍ଥାନୀୟ ଗୋଷ୍ଠି ଗୁଡିକୁ ସଚେତନ କରୁଛନ୍ତି। ଏହାଦ୍ୱାରା ଗ୍ରାମାଞ୍ଚଳ ଗୁଡିକରେ ବ୍ୟାପକ ସଚେତନତା ବିଶେଷକରି ମହିଳାଙ୍କ ମଧ୍ୟରେ କରୋନା ମୁକାବିଲା ନେଇ ସଚେତନତା ସୃଷ୍ଟିରେ ସହାୟକ ହୋଇଛି। କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କରିଥିବା ଅନୁରୋଧର ଶପଥ ସ୍ୱୟଂ ସହାୟିକା ଗୋଷ୍ଠି ମଧ୍ୟରେ ବଣ୍ଟନ ହୋଇଛି। କରୋନା ସମ୍ପ୍ରସାରଣ ଉପରେ ଲଗାମ ଲଗାଇବାପାଇଁ ଉଭୟ ଗ୍ରାମ ଓ ସହରାଞ୍ଚଳ ଲୋକେ ଘର ଭିତରେ ରହିବାପାଇଁ ମୁଖ୍ୟମନ୍ତ୍ରୀ ଶପଥ କରାଇଛନ୍ତି। ଏ କ୍ଷେତ୍ରରେ ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ପ୍ରାରମ୍ଭରେ ସାଧାରଣ ଲୋକଙ୍କ ମଧ୍ୟରେ ସାସ୍କର ଚାହିଦାକୁ ଦେଖି ଯେଉଁ ସହାୟିକ ଗୋଷ୍ଠି ଓ ସଂଘ ଗୁଡିକର ପୂର୍ବରୁ ସ୍କୁଲ ପୋଷାକ ସିଲେଇରେ ଅଭିଜ୍ଞତା ଥିଲା ସେମାନେ ମାସ୍କ ତିଆରି କରୁଛନ୍ତି। ବର୍ତ୍ତମାନ ପାଖାପାଖି ୪୦୦ ଏସ୍‍ଏଚ୍‍ଜି ଦିନକୁ ୫୦ ହଜାର ମାସ୍କ ଉତ୍ପାଦନ କରୁଛନ୍ତି ଯାହାକି ଏ ସମୟରେ ଅତି ଜରୁରୀ ସାମଗ୍ରୀ ପାଲଟିଛି। ଏସ୍‍ଏଚ୍‍ଜି ଗୁଡିକ ନିକଟରେ ସାଧାରଣ ଲୋକଙ୍କ ବ୍ୟତିତ ବ୍ୟାଙ୍କ୍‍, ପୁଲିସ୍‍ ଓ ଗ୍ରାମ୍ୟ ସ୍ୱାସ୍ଥ୍ୟକର୍ମୀମାନେ ୬ଲକ୍ଷ ମାସ୍କ ଖରିଦ କରିଛନ୍ତି। ସେମାନେ ଏହାକୁ ମାତ୍ର ୧୫ରୁ ୨୦ ଟଙ୍କା ଦରରେ ଖରିଦ କରିଛନ୍ତି। କେତେକ ସ୍ୱୟଂ ସହାୟକ ଗୋଷ୍ଠି ଲୋକଙ୍କ ଆବଶ୍ୟକତାକୁ ଦେଖି ସେମାନଙ୍କୁ ମାଗଣାରେ ମାସ୍କ ବାଣ୍ଟିଛନ୍ତି।

ଯେତେବେଳେ ଲକ୍‌ଡାଉନ୍‍ ଘୋଷଣା ହେଲା ସେତେବେଳେ ଲୋକଙ୍କ ନିକଟରେ ରାସନ ଓ ପନିପରିବା ପହଞ୍ଚାଇବା ମୁଖ୍ୟ ପ୍ରସଙ୍ଗ ଥିବାବେଳେ ଏସ୍‍ଏଚ୍‍ଜି ଗୁଡିକ ଏହି ଆବଶ୍ୟକତା ପୂରଣ କରିଥିଲେ। ପାଖପାଖି ୫୦୦ ସ୍ୱୟଂ ସହାୟିକା ଗୋଷ୍ଠି ଜିଲ୍ଲା ପ୍ରଶାସନ ସହାୟତାରେ ସମଗ୍ର ରାଜ୍ୟରେ ରାସନ, ପନିପରିବା ଏବଂ ଫଳ ଦୋକାନ ପ୍ରତିଷ୍ଠା କରିଛନ୍ତି। କଟକ, କେନ୍ଦ୍ରାପଡା, ବ୍ରହ୍ମପୁର ଓ କୋରାପୁଟର ସହରାଞ୍ଚଳରେ ଏସ୍‍ଏଚ୍‍ଜି ସଦସ୍ୟାମାନେ ଲୋକଙ୍କ ଘରେ ନେଇ ମଧ୍ୟ ଆବଶ୍ୟକ ରାସନ ସାମଗ୍ରୀ ପହଞ୍ଚାଉଛନ୍ତି।

ଲକ୍‍ ଡାଉନ୍‍ ସମୟରେ ସମଗ୍ର ରାଜ୍ୟରେ ଖାଦ୍ୟ ଯୋଗାଣ ନିଶ୍ଚିତ କରିବା ଅତ୍ୟନ୍ତ ସମ୍ବେଦନଶୀଳ କାର୍ଯ୍ୟ। ପ୍ରତି ପଞ୍ଚାୟତରେ ନିରାଶ୍ରୟ ଲୋକଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଯୋଗାଣ ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ଏହି ଦାୟିତ୍ୱ ଏସ୍‍ଏଚ୍‍ଜିକୁ ଦେଇଛନ୍ତି। ଆଜି ସୁଦ୍ଧା ପାଖାପାଖି ୪୩୩୮ ପଞ୍ଚାୟତରେ ଖାଦ୍ୟ ଆବଶ୍ୟକ ଥିବା ଲୋକଙ୍କୁ ୧,୭୫,୩୮୫ଟି ମିଲ୍‍ ଯୋଗାଯାଇଥିବାବେଳେ ୧୧୪ଟି ପୌରାଞ୍ଚଳରେ ୧୪,୩୮୩ ଟି ମିଲ୍‍ ଯୋଗାଇ ଦିଆଯାଇଛି। ଏହି କାର୍ଯ୍ୟକୁ ଏସ୍‍ଏଚ୍‍ଜିମାନେ ସୁରୁଖରୁରେ ତୁଲାଉଥିବାବେଳେ ପ୍ରତିଦିନ ରୋଷେଇ ହେଉଥିବା ସ୍ଥାନ ସଂଖ୍ୟା ବଢିବାରେ ଲାଗିଛି।

ଏହାଛଡା ମିଶନ ଶକ୍ତି ଋଣ ଯୋଜନାରେ ମହିଳା ସ୍ୱୟଂ ସହାୟିକାଗୋଷ୍ଠି ଗୁଡିକୁ ବିନା ସୁଧରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଉଛି। ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ଲାଗି ଚଳିତ ବର୍ଷ ୨୦୦୦ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି। ରାଜ୍ୟର ବ୍ଲକ ସ୍ତରରେ ଥିବା ମହାସଂଘ ଗୁଡିକ ନିକଟରେ ୨୫ଲକ୍ଷ ଟଙ୍କାର କର୍ପସ ପାଣ୍ଠି ରହିଛି। ଏସ୍‍ଏଚ୍‍ଜି ସଦସ୍ୟମାନଙ୍କ ଆବଶ୍ୟକ ପଡିଲେ ଅତି କମ୍‍ ସୁଧରେ ଏହି ପାଣ୍ଠିରୁ ଅର୍ଥ ଯୋଗାଯାଉଛି। ସଂଖ୍ୟାଧିକ ସ୍ୱୟଂ ସହାୟିକ ଗୋଷ୍ଠି ସେମାନଙ୍କ ସଞ୍ଚିତ ଅର୍ଥରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ଦାନ କରିଛନ୍ତି।

୨୦୦୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଦ୍ୱାରା ମିଶନ ଶକ୍ତି ଗଠନ ହୋଇଥିବାବେଳେ ଏହା ଅଧିନରେ ଥିବା ୬ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠିର ୭୦ଲକ୍ଷ ମହିଳା ସଦସ୍ୟା ଯେକୌଣସି ବିପର୍ଯ୍ୟୟ ଓ ଜରୁରୀ ସମୟରେ ଗୁରୁ ଦାୟିତ୍ୱ ନିର୍ବାହ କରୁଛନ୍ତି। ଏବେ ପୁଣି ଥରେ ମିଶନ ଶକ୍ତିର ସଦସ୍ୟାମାନେ ସରକାର ଓ ଗୋଷ୍ଠି ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହିତ ତଳ ସ୍ତରରେ ସହଯୋଗୀ ଭାବେ ସେବା ଯୋଗାଇ ଦେଉଛନ୍ତି।

Comments are closed.