Odisha Link
Bridging the Missing Links in Odisha

୯ ଦିନ ଧରି ଟୁଇଟର୍‌ରୁ ଦୂରରେ ନିକୁଞ୍ଜ: ବଦଳି ବାବଦରେ ଜାଣିଥିଲେ କି?

ଭୁବନେଶ୍ବର: କରୋନା ମୁକାବିଲା ବେଳେ ଏବେ ରାଜ୍ୟରେ ସବୁଠୁ ଅଧିକ ତତ୍ପର ବିଭାଗ ଭାବେ ପରିଚିତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ହଠାତ ବଦଳି କରି ଦିଆଯାଇଛି। ତାଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ବ ବିଳିଛି।

କରୋନା ଘଡ଼ିସନ୍ଧି ମୁହୂର୍ତ୍ତରେ ନିକୁଞ୍ଜ ବିହାରୀ ଧଳଙ୍କ ଭଳି ଜଣେ କର୍ମଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ହଠାତ କାହିଁକି ବଦଳି କରାଗଲା ଏହାର କାରଣ ଜଣାପଡ଼ିନାହିଁ। ତେବେ ଗଞ୍ଜାମ୍‌ ଜିଲ୍ଲାକୁ ରେଡ୍‌ ଜୋନ୍‌ ଘୋଷଣା କରିବା ନେଇ ତାଙ୍କ ଉପରେ ତୃତୀୟ ମହଲା ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ଏକଦା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ବେଶ୍‌ ପାଖଲୋକ ଭାବେ ପରିଚିତ ଶ୍ରୀ ଧଳଙ୍କର କିଛି ବିଭାଗୀୟ ନିଷ୍ପତ୍ତି ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା ବୋଲି ଚର୍ଚ୍ଚା ହେଉଛି। କଟକଟା ଗ୍ରାମର ଲୋକେ ଯାଜପୁରରେ କରୋନା ସଂକ୍ରମଣ କରାଇଲେ ବୋଲି କହି ସେ ସରକାରଙ୍କୁ ଅଡ଼ୁଆରେ ପକାଇଥିବା ମଧ୍ୟ ଆଲୋଚନା ହେଉଛି। ଏପରିକି ତାଙ୍କର ବଦଳି ବାବଦରେ ଶ୍ରୀ ଧଳ ପୂର୍ବରୁ ଜାଣିଥିଲେ ବୋଲି ମଧ୍ୟ ଆଲୋଚନା ହେଉଛି। ନିଜ ଟୁଇଟର୍ ‌ଆକାଉଣ୍ଟରେ ମେ’ ୫ ତାରିଖ ପରଠାରୁ କୌଣସି ନୂଆ ଟୁଇଟ୍‌ ବା ରିଟୁଇଟ୍‌ କରି ନାହାନ୍ତି ଶ୍ରୀ ଧଳ। ମେ’ ୪ ତାରିଖରେ ଶେଷଥର ପାଇଁ ସେ ନିଜ ବିଭାଗର ଏକ ଟୁଇଟ୍‌କୁ ରିଟୁଇଟ୍‌ କରିଥିବା ବେଳେ ସେହି ଦିନ ରାତି ୧୨ଟା ୩୩ (ମେ’ ୪-୫ ମଧ୍ୟ ରାତ୍ରି)ରେ କେନ୍ଦ୍ର ସରକାରଙ୍କ ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌ର ଏକ ଟୁଇଟ୍‌କୁ ରିଟୁଇଟ୍‌ କରିଛନ୍ତି ଶ୍ରୀ ଧଳ। ବିଗତ ୯ ଦିନ ଧରି ତାଙ୍କର ଗୋଟିଏ ବି ଟୁଇଟ୍‌ ଆସିନାହିଁ।

କରୋନା ବିତ୍ପାତ ସମୟରେ ନିଜର ବାପାଙ୍କ ମୃତ୍ୟୁ ସତ୍ତ୍ବେ ମାତ୍ର ଗୋଟିଏ ଦିନ ଅନ୍ତରରେ କାର୍ଯ୍ୟରେ ଯୋଗଦେଇ ସେ ଚର୍ଚ୍ଚାକୁ ଆସିଥିଲେ। ତାଙ୍କ ସ୍ଥାନରେ କିଏ ନୂଆ ସ୍ବାସ୍ଥ୍ୟ ସଚିବ ଦାୟିତ୍ବ ନେବେ ତାହା ଜଣାପଡ଼ିନାହିଁ। କିଛି ଦିନ ତଳେେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ପ୍ରଦୀପତ କୁମାର ମହାପାତ୍ରଙ୍କୁ ରାଜ୍ୟ ସରକାର ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଦାୟିତ୍ବ ଦେଇଥିଲେ।

Comments are closed.