Odisha Link
Bridging the Missing Links in Odisha

ପ୍ରତିରକ୍ଷା କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆକୁ ଗୁରୁତ୍ବ

ନୂଆଦିଲ୍ଲୀ: ଆଜି ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜର ୪ର୍ଥ ପର୍ଯ୍ୟାୟ ଘୋଷଣା କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି କ୍ରମରେ ସେ କହିଛନ୍ତି ଯେ, ଆଗକୁ ଆସୁଥିବା ପ୍ରତିଯୋଗିତା ପାଇଁ ଆମେ ପ୍ରସ୍ତୁତ ରହିବା। ଘୋଷଣା ହୋଇଥିବା ଆତ୍ମନିର୍ଭର ଆର୍ଥିକ ପ୍ୟାକେଜ ଆଖି ଦେଖାଣିଆ ନୁହେଁ, ଭାରତକୁ ସଶକ୍ତ ଏବଂ ଆତ୍ମନିର୍ଭର କରିବାର ପ୍ୟାକେଜ୍। ପ୍ରଧାନମନ୍ତ୍ରୀ ମୋଦିଙ୍କ ମୂଳ ଉଦ୍ଦେଶ୍ୟ ଦେଶକୁ ଆତ୍ମ ନିର୍ଭର କରାଇବା। ସଙ୍କଟ ସମୟରେ ସ୍ୱାବଲମ୍ବୀ ହୋଇ ଆଗକୁ ବଢ଼ିବା ବୋଲି ସେ କହିଛନ୍ତି।

କୋଇଲା କ୍ଷେତ୍ରକୁ ନେଇ ବଡ଼ ଘୋଷଣା କରିବା ପରେ ପ୍ରତିରକ୍ଷା କ୍ଷେତ୍ରକୁୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି ସରକାର। ସେ କହିଛନ୍ତି ଯେ, ସୁରକ୍ଷା ବାହିନୀ ଆଧୁନିକ ଅସ୍ତ୍ର ଆବଶ୍ୟକ କରେ। ସାମରିକ ବ୍ୟାପାର ବିଭାଗ ସହିତ ପରାମର୍ଶ କରିବା ପରେ ଆମେ ଧୀରେ ଧୀରେ କିଛି ଅସ୍ତ୍ର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବୁ। ଗୁଣବତ୍ତାକୁ ଦୃଷ୍ଟିରେ ରଖି ଘରୋଇ ଉତ୍ପାଦନ ବୃଦ୍ଧି କରାଯିବ ବୋଲି କହିଛନ୍ତି ନିର୍ମଳା।

ସେ ଆହୁରି କହିଛନ୍ତି ଯେ, ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ। ବିଦେଶୀ ପୁଞ୍ଜି ନିବେଶ ସୀମା ୪୯%ରୁ ୭୪%କୁ ବୃଦ୍ଧି କରାଯାଇଛି। ଅର୍ଡିନାନ୍ସ କାରଖାନା ବୋର୍ଡ କର୍ପୋରେଟ୍ ହେବ। କର୍ପୋରେଟାଇଜେସନ୍ ଅର୍ଥ ଘରୋଇକରଣ ନୁହେଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ମେକ୍‌ ଇନ୍‌ ଇଣ୍ଡିଆ ନୀତି ଲାଗୁ ହେବ। ଆମଦାନୀ ହେଉଥିବା କେତେକ ସାମଗ୍ରୀ ଉପରେ ଲାଗୁ ହେବ ନିଷେଧାଦେଶ। ଆମଦାନୀ ପ୍ରତିସ୍ଥାପନ ଓ ଦେଶରେ ଉତ୍ପାଦନକୁ ଗୁରୁତ୍ବ ଦିଆଯିବ ବୋଲି ନିର୍ମଳା କହିଛନ୍ତି। ଗୋଳାବାରୁଦ କାରଖାନାର ନିଗମୀକରଣ କରି ଉତ୍ତରଦାୟିତ୍ବ ବଢ଼ାଯିବ। ଗୋଳାବାରୁଦ ଯୋଗାଣ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ହେବ ବ୍ୟବସ୍ଥା। ମେକ୍‌ ଇନ୍‌ ଇଣ୍ଡିଆ ନୀତି ଦେଶର ଆତ୍ମନିର୍ଭରଶୀଳତାକୁ ବଢ଼ାଇବ ବୋଲି ସେ କହିଛନ୍ତି।

Comments are closed.