Odisha Link
Bridging the Missing Links in Odisha

ଆଜି ପୁଣ୍ୟତିଥି: ସାମ୍ବାଦିକରୁ ରାଷ୍ଟ୍ରନାୟକ

ନୂଆଦିଲ୍ଲୀ: ଭାରତର ରାଜନୈତିକ ଇତିହାସରେ ଜଣେ ସଫଳ ବ୍ୟକ୍ତିତ୍ୱ ହେଉଛନ୍ତି ଅଟଳ ବିହାରି ବାଜପେୟୀ। ଯିଏ ଜୀବନର ପ୍ରତି କ୍ଷେତ୍ରରେ ସଫଳତାର ଶୀର୍ଷକୁ ଛୁଇଁପାରିଛନ୍ତି। ସେ ଏକାଧାରରେ ଜଣେ ବିଚକ୍ଷଣ ରାଜନୀତିଜ୍ଞ, ପ୍ରଶାସକ, ଭାଷାବିତ, କବି, ସମ୍ବାଦିକ ଓ ଲେଖକ। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଆଦର୍ଶରେ ଅନୁପ୍ରାଣିତ ହୋଇ, ଅଟଳ ବିହାରୀ ଉଦାରବାଦ, ସହନଶୀଳତା, ସମାନତାକୁ ନେଇ ରାଜନୀତିରେ ପାଦ ଥାପିଥିଲେ। ସେ କେବେବି ନିଜ ବିଚାରଧାରା ସହ ସାଲିସ କରିନଥିଲେ। ସେ ହେଉଛନ୍ତି ଦେଶର ଜଣେ ସାଲିସବିହୀନ ଦୂରଦୃଷ୍ଟି ସମ୍ପନ୍ନ ରାଜନେତା। ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ପୁଣ୍ୟତିଥି। ସୂଚନାଥାଉକି, ୨୦୧୮ ମସିହାରେ ଦିଲ୍ଲୀର ଏମ୍ସରେ ତାଙ୍କର ମୃତ୍ୟୁ ହୋଇଥିଲା।

୧୯୨୪ ରୁ ୧୯୪୨:
ମଧ୍ୟପ୍ରଦେଶର ଗ୍ୱାଲିଅରରେ ୧୯୨୪ ମସିହା ଡିସେମ୍ବର ୨୫ରେ ଜନ୍ମଗ୍ରହଣ କରିଥିଲେ ସ୍ବର୍ଗତ ଅଟଳ। ତାଙ୍କ ବାପା ଥିଲେ ଶିକ୍ଷକ ଓ ମାଆ ସୁଗୃହିଣୀ। କିନ୍ତୁ ତାଙ୍କର ପ୍ରକୃତ ଘର ଥିଲା ଉତ୍ତରପ୍ରଦେଶ ଆଗ୍ରା ଜିଲ୍ଲାର ବଟେଶ୍ୱର। ଅଟଳ ବିହାରୀ ବାଜପେୟୀ ଗ୍ୱାଲିୟରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ପାଠପଢ଼ା ଆରମ୍ଭ କରିଥିଲେ। ପରେ ଭିକ୍ଟୋରିଆ କଲେଜରେ ସ୍ନାତକ ପଢ଼ିଥିଲେ। ତା’ପରେ କାନପୁରସ୍ଥିତ ଦୟାନନ୍ଦ ଆଙ୍ଗ୍ଲୋ-ବେଦିକ୍ କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିଥିଲେ। କିଶୋର ବୟସରୁ ଅର୍ଥାତ ୧୬ ବର୍ଷରୁ ହିଁ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ରେ ଜଣେ ପ୍ରଚାରକଭାବେ ଯୋଗ ଦେଇଥିଲେ। ଛାତ୍ର ଜୀବନରୁ ହିଁ ସ୍ୱତନ୍ତ୍ରତା ସଂଗ୍ରାମରେ ନିଜକୁ ହଜେଇ ଦେଇଥିଲେ ବାଜପେୟୀ। ୧୯୪୨ ମସିହାର ଗାନ୍ଧିଜୀଙ୍କ ‘ଭାରତ ଛାଡ଼’ ଆନ୍ଦୋଳନ ନାରାକୁ ଆହୁରି ଶାଣିତ କରି ବାଜପେୟୀ ପୁଲିସର ହିଟ୍‌ଲିଷ୍ଟରେ ସର୍ବାଗ୍ରେ ରହିଥିଲେ।

ସାମ୍ବାଦିକରୁ ପ୍ରଧାନମନ୍ତ୍ରୀ:
ବାଜପେୟୀ ପ୍ରଥମେ ଜଣେ ସାମ୍ବାଦିକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ୧୯୫୧ରେ ଭାରତୀୟ ଜନସଂଘରେ ଯୋଗଦେବା ପରେ ତାଙ୍କ ସାମ୍ବାଦିକ ଜୀବନରେ ପୂର୍ଣ୍ଣଚ୍ଛେଦ ପଡିଥିଲା। ରାଷ୍ଟ୍ରଧର୍ମ, ବୀର ଅର୍ଜୁନ ଆଦି ଦେଶପ୍ରେମ ସମ୍ବଳିତ ଏକାଧିକ ପତ୍ରପତ୍ରିକାର ସମ୍ପାଦନା ଦାୟିତ୍ୱ ସେ ତୁଲାଇ ଥିଲେ। ସେ ନିଜ କ୍ୟାରିଅରର ପ୍ରଥମ ଲୋକସଭା ନିର୍ବାଚନ ୧୯୫୨ରେ ଲଢ଼ି ହାରିଯାଇଥିଲେ। ୧୯୫୭ରେ ସେ ପ୍ରଥମ ଥର ପାଇଁ ବିଜୟର ସ୍ୱାଦ ଚାଖିଥିଲେ। ତାଙ୍କର ରାଜନୈତିକ ଜନ୍ମସ୍ଥଳୀ ଥିଲା ଉତ୍ତରପ୍ରଦେଶ। ରାଜଧାନୀ ଲକ୍ଷ୍ମୌରୁ ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ଅଟଳ ବିହାରୀ ବାଜପେୟୀ ମୋଟ୍ ୧୦ ଥର ଲୋକସଭା ସାଂସଦ ହୋଇଥିଲେ। ଅନ୍ୟପଟେ ସେ ୨ ଥର ୧୯୬୨ ଓ ୧୯୮୬ରେ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ। ଏହି ସମୟରେ ସେ ଉତ୍ତରପ୍ରଦେଶ, ନୂଆଦିଲ୍ଲୀ ଓ ମଧ୍ୟ ପ୍ରଦେଶରେୁ ଲୋକସଭା ନିର୍ବାଚନ ଲଢ଼ିଥିିଲେ ଓ ବିଜୟ ହାସଲ ମଧ୍ୟ କରିଥିଲେ। ଆଉ ସେହିଠାରୁ ସେ ଗୁଜରାଟରୁ ରାଜ୍ୟସଭା ପହଞ୍ଚିଥିଲେ। ନିଜର ଭାଷଣର ଦକ୍ଷତା, ହସ ହସ ମୁହଁ ଓ ବିଚାଚଧାରା ପାଇଁ ବାଜପେୟୀ ଲୋକଙ୍କର ବେଶ୍ ପ୍ରିୟ ଥିଲେ । ସେ ଭାରତ ଓ ପାକିସ୍ତାନ ମତଭେଦ ଦୂର କରିବା ପାଇଁ ସବୁବେଳେ ଚେଷ୍ଟାରତ ଥିଲେ।

ରାଜନୈତିକ ଯାତ୍ରାର ମାଇଲଖୁଣ୍ଟ:
୧୯୪୨: ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଲେ, ସ୍ୱାଧୀନତା ସଂଗ୍ରାମ ସମୟରେ ଜେଲ୍‌ ଯାଇଥିଲେ
୧୯୫୧: ଜନସଂଘର ପ୍ରତିଷ୍ଠାତା ସଦସ୍ୟ
୧୯୫୭: ଜନସଂଘର ପ୍ରାର୍ଥୀଭାବେ ଲୋକସଭାକୁ ନିର୍ବାଚିତ ହେଲେ
୧୯୬୨: ରାଜ୍ୟସଭାକୁ ନିର୍ବାଚିତ ହେଲେ
୧୯୬୮: ୧୯୬୮ରୁ ୧୯୭୩ ପର୍ଯ୍ୟନ୍ତ ଭାରତୀୟ ଜନସଂଘର ଅଧ୍ୟକ୍ଷ ରହିଲେ
୧୯୭୫: ଜରୁରୀ ସ୍ଥିତି ସମୟରେ ଗୃହବନ୍ଦୀ ଥିଲେ
୧୯୭୭: ୧୯୭୭ରୁ ୧୯୮୦ ମସିହା ପର୍ଯ୍ୟନ୍ତ ଜନତା ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ରହିଲେ
୧୯୭୭: ପ୍ରଥମ ଅଣକଂଗ୍ରେସ ବିଦେଶ ବ୍ୟପାର ମନ୍ତ୍ରୀ ହୋଇଥିଲେ
୧୯୭୯: ଜାତିସଂଘରେ ହିନ୍ଦୀରେ ସ୍ମରଣୀୟ ବକ୍ତବ୍ୟ ଦେଇଥିଲେ
୧୯୮୦: ବିଜେପି ଅଧ୍ୟକ୍ଷ ହେଲେ (୧୯୮୦-୮୬)
୧୯୯୨: ପଦ୍ମ ବିଭୂଷଣରେ ସମ୍ମାନିତ ହେଲେ
୧୯୯୪: ଲୋକମାନ୍ୟ ତିଲକ ପୁରସ୍କାରରେ ପୁରସ୍କୃତ ହେଲେ ଏବଂ ଶ୍ରେଷ୍ଠ ସାଂସଦ ଭାବେ ଗୋବିନ୍ଦ ବଲ୍ଲଭ ପନ୍ଥ ପୁରସ୍କାର ପାଇଥିଲେ
୧୯୯୬: ପ୍ରଥମ ଥର ପ୍ରଧାନମନ୍ତ୍ରୀ ହେଲେ କିନ୍ତୁ ତାଙ୍କ ସରକାର ମାତ୍ର ୧୩ ଦିନ ପାଇଁ ରହିଲା
୧୯୯୮: ଏନ୍‌ଡିଏ କ୍ଷମତାକୁ ଆସିଲା, ବାଜପେୟୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ
୧୯୯୮: ପୋଖରାନ୍‌ରେ ବାଜପେୟୀ ସରକାର ମେ’ ୧୯୯୮ରେ ପରମାଣୁ ପରୀକ୍ଷା କଲେ
୨୦୦୫: ରାଜନୀତିରୁ ଅବସର ଘୋଷଣା
୨୦୧୪: ଡିସେମ୍ବର ୨୫, ବାଜପେୟୀଙ୍କ ୯୦ତମ ଜନ୍ମଦିବସକୁ ଦେଶବ୍ୟାପୀ ‘ଗୁଡ୍‌ ଗଭର୍ଣ୍ଣାନ୍ସ ଡେ’ ଭାବେ ପାଳନ କରାଗଲା
୨୦୧୫: ମାର୍ଚ୍ଚ ୨୭ରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ

Comments are closed.