ଭାଇବୋହୂକୁ ମାରିଲା ଦେଢଶୁର

ଆସିକା: ମନ୍ଦିର ପରିସରରୁ ମହିଳାଙ୍କ ମୃତଦେହ ଠାବ କରାଯାଇଛି। ଗଞ୍ଜାମ ଜିଲ୍ଲାର ଆସିକା ଥାନା ଅନ୍ତର୍ଗତ ହରିଡ଼ାପଦର ଗାଁ ଶିବ ମନ୍ଦିର ପରିସରରେ ଜଣେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଠାବ କରାଯାଇଛି। ମହିଳାଙ୍କୁ କିଏ ହତ୍ୟା କରିଥିବା ଜଣାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ୍ ଜାରି ରହିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଆସିକା ଥାନା ଅନ୍ତର୍ଗତ ହରିଡ଼ାପଦର ଗାଁର ମୁକ୍ତେଶ୍ବର ଶିବ ମନ୍ଦିରକୁ ସେହି ଗ୍ରାମର ରଂଜି ନାହାକ(୪୦) ନାମକ ଜଣେ ମହିଳା ଆଜି ସକାଳ ପ୍ରାୟ ୫ଟା ବେଳେ ଯାଇଥିଲେ। ସେ ମନ୍ଦିରରେ ପୂଜା ସାରି ଘରକୁ ଫେରୁଥିବା ବେଳେ ରଂଜି ନାହାକଙ୍କ ମୁଣ୍ଡକୁ ପଛ ପଟୁ ଦେଢଶୁର ମୋଚିରାମ ନାହାକ ଏକ ଲୁହା ରଡରେ ଆକ୍ରମଣ କରିଥିଲେ। ଏହାଫଳରେ ଘଟଣାସ୍ଥଳରେ ହିଁ ରଂଜି ନାହାକଙ୍କ ମୃତ୍ୟୁ ଘଟିଥିଲା। ମୋଚିରାମ ନାହାକ ଫେରାର୍ ଥିବା ଜଣାଯାଇଛି। ସେ ଭାଇବୋହୂ ରଂଜି ନାହାକଙ୍କୁ ଆକ୍ରମଣ କରିବା ଲାଗି ପୂର୍ବରୁ ଯୋଜନା କରିଥିବା କୁହାଯାଉଛି। ପାରିବାରିକ କଳହରୁ ଏଭଳି ଅଘଟଣ ଘଟିଥିବା ଗାଁରେ ଚର୍ଚ୍ଚା ହେଉଛି। ଘଟଣାସ୍ଥଳରେ ଆସିକା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।