Odisha Link
Bridging the Missing Links in Odisha

ଗଣେଶ ପୂଜାକୁ ମିଳିବନି ଅନୁମତି: ଡିସିପି

କଟକ: କଟକରେ ସାର୍ବଜନୀନ ଗଣେଶ ପୂଜାକୁ ଅନୁମତି ମିଳିବ ନାହିଁ। ଏନେଇ ଅନୁମତି ନମିଳିବା ନେଇ ସ୍ପଷ୍ଟ କଲେ କଟକ ଡିସିପି ପ୍ରତୀକ ସିଂହ। ସାଂପ୍ରତିକ କରୋନା ପରିସ୍ଥିତି ଦେଖି ଅନୁମତି ଦିଆଯାଇପାରିବ ନାହିଁ। ସାର୍ବଜନୀନ ପୂଜାକୁ ଅନୁମତି ପାଇଁ ହାଇକୋର୍ଟରେ ମାମଲା ହୋଇଥିଲା। ବୁଢ଼ା ଗଣେଶ ପୂଜା କମିଟି ପକ୍ଷରୁ ମାମଲା କରିଥିଲେ ଶିବେନ୍ଦ୍ର ହାତୀ। କୋର୍ଟ ମାମଲାକୁ ଖାରଜ କରି ସ୍ଥାନୀୟ ପ୍ରଶାସନ ଉପରେ ନିଷ୍ପତ୍ତି ଛାଡିଥିଲେ।

ପ୍ରକାଶ ଯେ, ଟ୍ବିନ୍ ସିଟିରେ ଗଣେଶ ପୂଜା ଉପରେ କଟକଣା ନେଇ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ। ସ୍ଥାନୀୟ ପ୍ରଶାସନ ପୂଜା ଆୟୋଜନ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପୂଜା ଆୟୋଜନ ଅନୁମତି ପାଇଁ ବୁଢା ଗଣେଶ ପୂଜା କମିଟି ଜନସ୍ବାର୍ଥ ମାମଲା କରିଥିଲା। ପୂଜା ଆୟୋଜନ ନେଇ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିବା ପାଇଁ କହିଥିଲେ ହାଇକୋର୍ଟ। ପୂର୍ବରୁ କରୋନା କଟକଣା ଯୋଗୁଁ ଏବର୍ଷ ଟ୍ବିନ୍ ସିଟିର କୌଣସି ମଣ୍ଡପରେ ଗଣେଶ ପୂଜା ହେବ ନାହିଁ ବୋଲି ସୂଚନା ଦିଆଯାଇଥିଲା। ଗଣେଶ ପୂଜା ବନ୍ଦ କରିବାକୁ ନେଇ ଗତ ୧୩ ତାରିଖରେ କମିଶନରେଟ୍ ପୋଲିସ୍ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଥିଲା।

ପୋଲିସ୍ କମିଶନରେଟ୍ ଟ୍ବିଟ୍ କରି ସୂଚନା ଦେଇଥିଲେ ଯେ, ଚଳିତ ବର୍ଷ କଟକ, ଭୁବନେଶ୍ବରରେ ଗଣେଶ ପୂଜା ହେବ ନାହିଁ। କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖି ଏପରି ନିଷ୍ପତ୍ତି ନିଆଯାଇଛି। ଏବର୍ଷ ମୁମ୍ବାଇରେ ମଧ୍ୟ ଗଣେଶ ପୂଜା ହେବ ନାହିଁ। ସମସ୍ତଙ୍କୁ ଏହି ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଥିଲା ।

Comments are closed.