Odisha Link
Bridging the Missing Links in Odisha

ଧସିଲା ହରିଦାସପୁର-ପାରାଦୀପ ନୂଆ ରେଳପଥ ସ୍ଲାବ୍‌

ଯାଜପୁର : ହରିଦାସପୁର-ପାରାଦୀପ ନୂତନ ରେଳପଥରେ ଏବେ ମାଲଗାଡ଼ି ଚଳାଚଳ ଆରମ୍ଭ ହୋଇଛି । ହେଲେ ରେଳଲାଇନ୍ ବିଭିନ୍ନ ସ୍ଥାନରୁ ମାଟିବନ୍ଧ ଧସିବା ସହିତ ପଥର ପ୍ୟାକିଂ ଭୁଶୁଡ଼ିବାରେ ଲାଗିଛି। ହରିଦାସପୁର ଠାରୁ ୨୨ କିମି ଦୂର ପଲାଇ ଗ୍ରାମ ନିକଟରେ ଥିବା ଲଳିତଗିରି ରେଳଷ୍ଟେସନ ଗୃହର ସାମ୍ନା କଂକ୍ରିଟ୍ ପଥର ପ୍ୟାକିଂ ସାଇଟ୍‌ରୁ ୫୦ ଫୁଟ୍ ସ୍ଲାବ୍‌ ଭାଙ୍ଗି ପଥର ଭୁଶୁଡ଼ି ଯାଇଛି। ଠିକ୍ ସେହି ସ୍ଥାନରୁ ୨୦୦ ଫୁଟ୍ ଲମ୍ବର ମାଟିବନ୍ଧ ମଧ୍ୟ ଭୁଶୁଡ଼ି ପଡ଼ିଛି। ପାରାଦୀପ ବନ୍ଦର ସହ ଯୋଡ଼ି ହୋଇଥିବା ରାଜ୍ୟର ଏହି ଗୁରୁତ୍ବପୂର୍ଣ୍ଣ ରେଳପଥର ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ୮୨.୫ କିମି ଦୀର୍ଘ ଏହି ରେଳପଥ ନିର୍ମାଣ ପାଇଁ ୨୩ ବର୍ଷ ଲାଗିଲା। ଉପକୂଳ ଓଡ଼ିଶାର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏହା ଅତି ଗୁରୁତ୍ବପୂର୍ଣ୍ଣ ରେଳପଥ ବୋଲି କୁହାଯାଉଛି। ଏହାର ଅଧିକାଂଶ ନିର୍ମାଣ କାର୍ଯ୍ୟ ଏବଂ ଷ୍ଟେସନଗୁଡ଼ିକ କାମ ମଧ୍ୟ ଶେ‌ଷ ହୋଇନାହିଁ। ଗତମାସ ଜୁଲାଇ ୨୪ ତାରିଖରେ ପ୍ରଥମଥର ଏହି ରେଳପଥରେ ପରୀକ୍ଷାମୂଳକ ଭାବେ ବିଦ୍ୟୁତଚାଳିତ ରେଳଗାଡ଼ି ଚଳାଚଳ କରିଥିଲା। ପଲାଇ ଗ୍ରାମଠାରେ ଥିବା ଲଳିତଗିରି ରେଳଷ୍ଟେସନଟି ବିଧିବଦ୍ଧ ଭାବେ ଜୁଲାଇ ୩୦ ତାରିଖରୁ କାର୍ଯ୍ୟକ୍ଷମ ହୋଇଥିବା ରେଳବାଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.