Odisha Link
Bridging the Missing Links in Odisha

ପଞ୍ଚଭୂତରେ ଲୀନ ହେଲେ ପ୍ରଣବ ଦା

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ପ୍ରଣବ ମୁଖାର୍ଜୀ। ତାଙ୍କୁ ଆଡ଼ଅଫ ଅନର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀରକୁ ତାଙ୍କ ୧୦ ରାଜାଜୀ ମାର୍ଗ ସ୍ଥିତ ବାସଭବନରୁ ଲୋଧି ରୋଡ଼ ସ୍ଥିତ ଶ୍ମଶାନ ଘାଟକୁ ନିଆଯାଇଥିଲା। ସେଠାରେ ସ୍ବର୍ଗତ ମୁଖାର୍ଜୀଙ୍କ ପ୍ରିୟ ପରିଜନ ଉପସ୍ଥିତ ଅଛନ୍ତି। କରୋନା ସଂକ୍ରମଣ ଜନିତ କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯାଉଛି। ସ୍ବର୍ଗତ ମୁଖାର୍ଜୀଙ୍କ ଶେଷ ଯାତ୍ରାରେ ବହୁ ରାଜନେତା, ପରିଜନ ଓ ସାଧାରଣ ଲୋକେ ସାମିଲ ହୋଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ଆଜି ଅପରାହ୍ନରେ ଲୋଧି ରୋଡରେ ଥବା ଶ୍ମଶାନରେ ପ୍ରଣବଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି।

ସୂଚନାଯୋଗ୍ୟ ଯେ, ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଆଜି ସାରା ଦେଶ ଜଣାଉଛି ଶେଷ ବିଦାୟ। ଆଜି ଦିଲ୍ଲୀର ଲୋଧୀ ରୋଡରେ ଆପରାହ୍ନ ପ୍ରାୟ ୨ଟା ୩୦ ମିନିଟରେ ତାଙ୍କର ହେବ ଅନ୍ତିମ ସଂସ୍କାର। ପଞ୍ଚଭୂତରେ ବିଲୀନ ହେବ ପ୍ରଣବ ଦାଙ୍କ ପାର୍ଥିବ ଶରୀର। ଆଜି ଦିଲ୍ଲୀର ସେନା ଡାକ୍ତରଖାନାରୁ ଦିଲ୍ଲୀର ୧୦ ଜନପଥ ନିକଟ ରାଜାଜୀ ମାର୍ଗରେ ଥିବା ତାଙ୍କର ବାସଭବନକୁ ପ୍ରଣବ ଦାଙ୍କ ପାର୍ଥିବ ଶରୀର ଅଣାଯାଇଛି। କଡା ସୁରକ୍ଷା ମଧ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଅନ୍ତିମ ଦର୍ଶନ କରୁଛନ୍ତି।

ଏହି ଅବସରରେ ରାଜାଜୀ ମାର୍ଗରେ ସ୍ଥିତ ତାଙ୍କ ବାସସ୍ଥଳୀରେ ପହଞ୍ଚି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ସମୟରେ ଉପରାଷ୍ଟ୍ରପତି ଓ ଅନ୍ୟ ବହୁ ବରିଷ୍ଠ ରାଜ ନେତାମାନେ ପ୍ରଣବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ଶେଷ ଦର୍ଶନ କରିଛନ୍ତି। ଏହା ପୂର୍ବରୁ ସମସ୍ତ ଅଞ୍ଚଳକୁ ସାନିଟାଇଜ କରାଯାଇଛି।

ପ୍ରକାଶ ଯେ, ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ ହୋଇଯାଇଛି। ସେ ଅନେକ ଦିନ ଧରି ଭେଣ୍ଟିଲେଟରରେ ଥିଲେ। ମସ୍ତିଷ୍କ ସର୍ଜରୀ ପରେ ଅନେକ ଦିନ ଧରି ତାଙ୍କର ଚିକିତ୍ସା ନୂଆଦିଲ୍ଲୀ ସ୍ଥିତ ସେନା ହସ୍ପିଟାଲରେ ଜାରି ରହିଥିଲା। ଏନେଇ ଟୁଇଟ୍‌ କରି ସୂଚନା ଦେଲେ ପ୍ରଣବଙ୍କ ପୁଅ ଅଭିଜିତ। ୮୪ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ପ୍ରଣବ।

ଅଗଷ୍ଟ ୧୦ ତାରିଖ ଦିନ ଶ୍ରୀ ମୁଖାର୍ଜୀ ରାଜାଜୀ ମାର୍ଗସ୍ଥିତ ତାଙ୍କ ବାସଭବନରେ ପଡ଼ିଯାଇଥିଲେ। ଚିକିତ୍ସା ନିମନ୍ତେ ତାଙ୍କୁ ନୂଆ ଦିଲ୍ଲୀସ୍ଥିତ ଆର୍ମି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପଡ଼ିବା ଯୋଗୁଁ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଯାଇଥିଲା। ରକ୍ତ ଟେଳାଟିକୁ ବାହାର କରିବାକୁ ମସ୍ତିଷ୍କରେ ଜଟିଳ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା। ଏହାପରେ ତାଙ୍କୁ ଭେଣ୍ଟିଲେଟର୍‌ ସହାୟତାରେ ରଖାଯାଇଥିଲା ଓ ସେ ଗଭୀର କୋମା ଅବସ୍ଥାରେ ଥିଲେ। ଏହା ପରେ ଫୁସ୍‌ଫୁସ୍‌ ସଂକ୍ରମଣ କାରଣରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଚାଲିଥିଲା।

Comments are closed.