Odisha Link
Bridging the Missing Links in Odisha

ଗାନ୍ଧୀ ଜୟନ୍ତୀରୁ କୋଭିଡ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବ ବିଜେଡ଼ି

ଭୁବନେଶ୍ବର: ଆସନ୍ତା ଅକ୍ଟୋବର ୨ ତଥା ଗାନ୍ଧୀ ଜୟନ୍ତୀରେ କୋଭିଡ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବ ବିଜେଡି। ଏନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ପଦାଧିକାରୀମାନଙ୍କୁ ଚିଠି ଲେଖିଛନ୍ତି। ଚିଠି ମାଧ୍ୟମରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାବାସୀଙ୍କ ସହଯୋଗ ଏବଂ ଆଗଧାଡିର କୋଭିଡ ଯୋଦ୍ଧାମାନଙ୍କର ନିରନ୍ତର ଉତ୍ସର୍ଗୀକୃତ ପ୍ରଦର୍ଶନ ଯୋଗୁ ଆମ ରାଜ୍ୟରେ ଦୃଢ ଭାବରେ କୋଭିଡ ମୁକାବିଲା କରିପାରିଛନ୍ତି। ସାରା ରାଜ୍ୟରୋ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ଏବଂ ମୃତ୍ୟୁହାର ସର୍ବନିମ୍ନ ରହିଛି।

ଓଡ଼ିଶା ସରକାର ରାଜ୍ୟରେ ୭୭ଟି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ସୃଷ୍ଟି କରିଛନ୍ତି। ଟେଷ୍ଟିଂ ଠାରୁ ପ୍ଲାଜମା ଥେରାପି ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ସରକାର ବହନ କରୁଛନ୍ତି। ୩୦ ଲକ୍ଷରୁ ଅଧିକ ଲୋକଙ୍କୁ ଟେଷ୍ଟିଂ କରାଯାଇ ପାଖାପାଖି ୨ ଲକ୍ଷ ଲୋକଙ୍କୁ ସୁସ୍ଥ କରାଯାଇଥିବା କୁହାଯାଇଛି। ତୃଣମୂଳସ୍ତରରେ କୋଭିଡ ମୁକାବିଲାରେ ସରପଞ୍ଚମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସେମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରାଯିବା ଦ୍ୱାରା କୋଭିଡ ପରିଚାଳନା ସୁଚାରୁରୂପେ କରାଯାଇଥିଲା। ଏଭଳି କ୍ଷମତାପ୍ରଦାନରେ ଓଡ଼ିଶା ଏକମାତ୍ର ରାଜ୍ୟ ବୋଲି ବିଜେଡି ସଭାପତି କହିଛନ୍ତି। ଏହାକୁ ଆହୁରି ବ୍ୟାପକ କରିବା ପାଇଁ ସଚେତନତା ଅଭିଯାନର ଆବଶ୍ୟକତା ରହିଛି। ତେଣୁ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଥିବା ଏହି ଅଭିଯାନ ଆଗାମୀ ନଭେମ୍ବର ୨ ପର୍ଯ୍ୟନ୍ତ କରାଯିବ ବୋଲି ଜଣାପଡିଛି। ପ୍ରତି ଗ୍ରାମ ଏବଂ ପୌରାଞ୍ଚଳରେ ବିଜେଡି ନେତୃବୃନ୍ଦ ସମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ବଣ୍ଟନ କରିବେ ବୋଲି ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.