Odisha Link
Bridging the Missing Links in Odisha

‘ବାବା କା ଢାବା’ର ଭାଗ୍ୟ ବଦଳାଇଦେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ: ବର୍ତ୍ତମାନ ଯୁଗରେ ସୋସିଆଲ ମିଡିଆର ପ୍ରଭାବ ଖୁବ୍ ଅଧିକ। ସୋସିଆଲ ମିଡିଆ ଯେ ରାତାରାତି କାହାର ଭାଗ୍ୟ ବଦଲାଇ ଦିଏ ଏହାର ଜ୍ବଳନ୍ତ ଉଦାହରଣ ହେଉଛି ‘ବାବା କା ଢାବା’। ଦିଲ୍ଲୀର ମାଲବିୟ ନଗରରେ ଜଣେ ବୃଦ୍ଧଙ୍କ ଛୋଟିଆ ଢାବା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ୍। ଦିନ ଥିଲା ତାଙ୍କ ଢାବାରେ ବିକ୍ରି ନେହେବା ଯୋଗୁଁ ବୃଦ୍ଧ ଜଣକ ଭାବବିହ୍ୱଳ ହୋଇ କାନ୍ଦୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା। ବୃଦ୍ଧ ଜଣକ କାନ୍ଦିକି ତାଙ୍କ ଦୁଃଖ କଥା କହୁଥିବା ବେଳେ ଜଣେ ବ୍ୟକ୍ତି ଏହାର ଭିଡିଓ କରିଥିଲେ, ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍‌ ହେବା ପରେ ଲୋକ ଏବେ ତାଙ୍କ ଢାବାକୁ ଯିବାକୁ ବ୍ୟାକୁଳ। ଏବେ ବାବା କା ଢାବାରେ ଖାଇବା ପାଇଁ ଲୋକଙ୍କ ଖୁବ ଭିଡ ଜମୁଛି। ଲୋକମାନେ ଖାଇବା ସହ ପାର୍ସଲ ଅର୍ଡର ମଧ୍ୟ ଦେଉଛନ୍ତି। ଏବେ ବୃଦ୍ଧ ଜଣକ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି। ଏନେଇ ବୃଦ୍ଧ ଜଣକ କହିଛନ୍ତି କି, ପୂର୍ବରୁ ବିକ୍ରି ଭଲ ଚାଲିଥିଲା, ୧୯୯୦ ମସିହାରୁ ସେ ଢାବା ଚଲାଉଛନ୍ତି।

ବୃଦ୍ଧ ଜଣଙ୍କର ଭିଡିଓକୁ ବଲିଉଡ କଳାକାରଙ୍କଠୁ ଆରମ୍ଭ କରି କ୍ରିକେଟର ପର୍ଯ୍ୟନ୍ତ ସମସ୍ତେ ସେୟାର କରିଥିଲେ। ରବିନା ଟଣ୍ଡନ, ସୁନୀଲ ସେଟ୍ଟୀ, ରନ୍ଦିପ ହୁଡା, ସ୍ୱରା ଭାସ୍କର ଓ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନୀ ଏହି ଭିଡିଓକୁ ସେୟାର କରିବା ସହ ଏଠାରେ ଖାଇବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ। ରବିନା ଟଣ୍ଟନ ଟ୍ୱିଟ କରି ଲେଖିଛନ୍ତି, ଏଠି ଯିଏ ଖାଇବା ସହ ମୋତେ ଫଟୋ ପଠେଇବ ମୁ ତାଙ୍କ ଫଟୋ ସେୟାର କରିବା ସହ ତାଙ୍କ ପାଇଁ ଗୋଟେ ମେସେଜ ଦେବି। ସେହିପରି ସୁନୀଲ ସେଟ୍ଟୀ ଲେଖିଛନ୍ତି, ଚାଲନ୍ତୁ ତାଙ୍କ ହସକୁ ଫେରାଇ ଆଣିବା ପାଇଁ ତାଙ୍କୁ ସାହାଯ୍ୟ କରିବା।

Comments are closed.