ସାଲାଡ ବିକି ଲକ୍ଷପତି ହେଲେ ମହିଳା, ମାତ୍ର ଖଟାଇଥିଲେ ୩ ହଜାର ଟଙ୍କା

ପୁନେ: ଆଜିର ସମୟରେ ମହାମାରୀ କରୋନା ଭାଇରସ୍ ସଂକ୍ରମଣରୁ କିଭଳି ବର୍ତ୍ତିବା ଓ କିଭଳି ନିଜ ଶରୀରକୁ ଫିଟ୍ ରଖିବା ସେ ନେଇ ଲୋକେ ଆପଣାଉଛନ୍ତି ଅନେକ ଉପାୟ। କରୋନା ସଂକ୍ରମଣରୁ ମୁକ୍ତି ପାଇବା ପାଇଁ କିଏ କାଢ଼ା ପିଉଛି ତ କିଏ ଆଉ ଭିନ୍ନ ଭିନ୍ନ ଔଷଧ ଖାଉଛି। ଅନ୍ୟପଟେ ନିଜ ଶରୀର ଫିଟ୍ ଥିଲେ ସଂକ୍ରମଣ ହେବାର କମ୍ ସମ୍ଭାବନା ଥାଏ ବୋଲି କିଛି ବିଶେଷଜ୍ଞ ମାନେ ମତ ଦେଇଛନ୍ତି। ସେଥିପାଇଁ ନିଜ ଶରୀରକୁ ଫିଟ୍ ରଖିବା ପାଇଁ କିଏ ଯୋଗ, ବ୍ୟାୟମ କରୁଛି ତ ଆଉ କିଏ ଜିମରେ ଝାଳ ବୁହାଉଛି। ଏସବୁ ବ୍ୟତୀତ ଫିଟ୍ନେସ୍ ରହିବା ପାଇଁ ସମସ୍ତେ ପ୍ରାୟ ସାଲାଡ ଖାଇଥାନ୍ତି। ସାଲାଡ ଖାଇବା ଦ୍ବାରା ଶରୀରେ ସୁସ୍ଥ ରହିଥାଏ। ଏନେଇ ବିଭିନ୍ନ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ମତ ରଖିଛନ୍ତି। ସାଲାଡ ଦେହକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଆଜିର ସମୟରେ ସାଲାଡର ଡିମାଣ୍ଡ ଅଧିକ ରହିଛି। ଏପରିକି ସାଲାଡ ବିକ୍ରି କରି ଜଣେ ମହିଳା ବଡ଼ ବ୍ୟବସାୟ ଠିଆ କରି ପାରିଛନ୍ତି। ସେହି ମହିଳା ଜଣକ ହେଉଛନ୍ତି ମେଘନା ବାଫନା। ସେ ଭିନ୍ନ ଭିନ୍ନ ପ୍ରକାରର ସାଲାଡ କରି ଲୋକଙ୍କ ପାଖରେ ପହଁଞ୍ଚେଇବାକୁ ମନ ବଳେଇଥିଲେ। ଆଉ ସାରା ଦୁନିଆକୁ ଶିଖାଇଲେ ଯେ ସାଲାଡ ବିକ୍ରି କରି ମଧ୍ୟ ବହୁତ ଟଙ୍କା ରୋଜଗାର କରାଯାଇ ପାରିବ।
ମେଘନା ୨୦୧୭ ମସିହାରେ ଏହି ସାଲାଡ ବ୍ୟବସାୟ ଆରମ୍ଭ କରିଥିଲେ। ଘରେ ସାଲାଡ ବନାଇ ସେ ହ୍ବାଟସ୍ଆପରେ ଅନ୍ୟ ମାନଙ୍କୁ ଫଟୋ ପଠାଉଥିଲେ। ପରେ ତାଙ୍କୁ ଅର୍ଡର ମିଳିବା ଆରମ୍ଭ ହୋଇଗଲା। ପ୍ରଥମ ଦିନରେ ହିଁ ତାଙ୍କୁ ୫ଟି ଅର୍ଡର ମିଳିଥିଲା। ଧିରେ ଧିରେ ଲୋକଙ୍କୁ ମେଘନାଙ୍କ ଦ୍ବାରା ପ୍ରସ୍ତୁତ ସାଲାଡ ପସନ୍ଦ ଆସିବାକୁ ଲାଗିଲା। ଫଳରେ ଅର୍ଡର ସଂଖ୍ୟା ବୃଦ୍ଧି ପାଇଲା ଓ କ୍ରମାଗତ ଭାବେ ବଢ଼ି ଚାଲିଲା।
ବର୍ତ୍ତମାନ ସମୟରେ ମେଘନା ଜଣେ ସଫଳ ମହିଳା ବ୍ୟବସାୟୀ। ସେ ପ୍ରଥମେ ୩ହଜାର ଟଙ୍କାରେ ଏହି ବ୍ୟବସାୟ ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ଏହି ସାଲାଡ ବ୍ୟବସାୟରୁ ୨୨ ଲକ୍ଷ ଟଙ୍କା ରୋଜଗାର କରି ସାରିଲେଣି। ହେଲେ ଏହା ଏତେ ସହଜ ନଥିଲା। ଏଥିପାଇଁ ମଘେନାଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଛି। ପ୍ରତ୍ୟହ ୪ ଟା ୩୦ରେ ଉଠି ନିଜେ ସାଲାଡ ପ୍ରସ୍ତୁତି କରୁଥିଲେ। କେତେଥର କାମରେ ବିଭ୍ରାଟ ହୋଇଥିଲା। ହେଲେ ନିରନ୍ତର କାର୍ଯ୍ୟଜାରି ରଖିବାରୁ ତାଙ୍କ ବ୍ୟବସାୟ ଏବେ ପ୍ରତିଷ୍ଠିତ ହୋଇ ପାରିଛି।