Odisha Link
Bridging the Missing Links in Odisha

୨୨ ମହଲା ଉପରେ ଷ୍ଟଣ୍ଟ କରିବା ପଡ଼ିଲା ମହଙ୍ଗା, ଗିରଫ ହେଲେ ଯୁବକ

ମୁମ୍ବାଇ: ଉଚ୍ଚ ଅଟ୍ଟାଳିକାରେ ଷ୍ଟଣ୍ଟ କରିବା ପଡ଼ିଲା ମହଙ୍ଗା। ୨୨ ମହଲା ଉପରେ ଦୁଃସାହାସିକ ଷ୍ଟଣ୍ଟ କରି ଗିରଫ ହେଲେ ଯୁବକ। ନୋମାନ ଡି’ସୌଜା ନାମକ ଏହି ଯୁବକ ପଶ୍ଚିମ ମୁମ୍ବଇର କାଣ୍ଡିଭାଲିସ୍ଥିତ ଭାରତ ଏସ୍‌ଆରଏ ଅଟ୍ଟାଳିକାର ୨୨ ମହଲା କାନ୍ଥ ଧାରରେ ଦୁଇ ବନ୍ଧୁଙ୍କ ସହିତ ଅତି ବିପଜ୍ଜନକ ଭାବେ ବସି ମୃଦୁ ପାନୀୟ ପିଇବା ଓ ଗୋଡ଼ ଉପରକୁ ଟେକି ଦୁଇ ହାତରେ ଛିଡ଼ା ହେବା ଓ ଲମ୍ପ ପ୍ରଦାନ କରିବା ସହିତ ବିଭିନ୍ନ କୌଶଳ ପ୍ରଦର୍ଶନ କରିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ସେ ଦୁଇ ଫୁଟ ପ୍ରସ୍ତ ବିଶିଷ୍ଟ କାନ୍ଥରେ କ୍ରୀଡ଼ା କୌଶଳ ପ୍ରଦର୍ଶନ କରୁଥିବାବେଳେ ବନ୍ଧୁମାନେ ଏହାର ସୁଟିଂ କରୁଥିଲେ।

ଏହି ଭିଡିଓ ଭାଇରାଲ ହେବା ପରେ ଏହି ଘଟଣାରେ ପୁଲିସ ଡି’ସୌଜାଙ୍କ ବିରୋଧରେ ଏତଲା ଦାୟର କରିବା ସହ ଶୁକ୍ରବାର ତାଙ୍କୁ ଗିରଫ କରିଛି। କାରଣ ସେଲ୍‌ଫି ନେବା ଉଦ୍ଦେଶ୍ୟରେ ଚଳନ୍ତା ରେଳଧାରଣାରେ ଏଭଳି ଦୁଃସାହସ ପ୍ରଦର୍ଶନ କରିବାକୁ ଯାଇ ୨୦୧୮ରେ ହାଇଦରାବାଦଠାରେ ଜଣେ ଯୁବକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏଭଳି କେତେକ ଘଟଣା ପରେ ପୁଲିସ କଡ଼ା ଆଭିମୁଖ୍ୟ ପୋଷଣ କରିଛି।

Comments are closed.