Odisha Link
Bridging the Missing Links in Odisha

ପୁରୀର ବିକାଶ କାର୍ଯ୍ୟର ସମୀକ୍ଷା କଲେ ପାଣ୍ଡିଆନ୍‌

ଭୁବନେଶ୍ବର: ପୁରୀ ସହରକୁ ହେରିଟେଜ ସହରରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି। ରାଜ୍ୟ ସରକାରଙ୍କର ଫୋକସ୍‌ରେ ପୁରୀର ବିକାଶ। ଏଥିପାଇଁ ଆଜି ଅପରାହ୍ନରେ ପୁରୀ ଗସ୍ତ କରିଥିଲେ ୫’ଟି’ ସଚିବ ଭି କେ ପାଣ୍ଡିଆନ୍। ପୁରୀ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହ ସ୍ବର୍ଗଦ୍ବାର ବିକାଶ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଥିଲେ। ଏସବୁ ବ୍ୟତୀତ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡ ମାଧ୍ୟମରେ ପୁରୀରେ ହେଉଥିବା କାର୍ଯ୍ୟର ସ୍ଥିତି ତଦାରଖ କରିବା ସହିତ ଗୋଶାଳା, ଭିକାରୀ ଥଇଥାନ ଆଦି କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି। ସୂଚନାଥାଉକି ଅକ୍ଟୋବର ୧୭ ତାରିଖରେ ପୁରୀ ଗସ୍ତ କରି ଶ୍ରୀମନ୍ଦିରର ନବୀକରଣ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଥିଲେ।

ପୁରୀ ଗସ୍ତ ପରେ ପ୍ରତିକ୍ରିୟା ରଖିଛନ୍ତି ୫’ଟି’ ସଚିବ ଭି କେ ପାଣ୍ଡିଆନ୍। ସେ କହିଛନ୍ତି ଯେ, ବଡ଼ଦାଣ୍ଡକୁ ଭିକାରି ଓ ଗୋରୁ ମୁକ୍ତ କରିବା ପାଇଁ ଯେଉଁ ଅଭିଯାନ ଆରମ୍ଭ କରାଯାଇଥିଲା ସେଥିରେ ଏବେ ବଡ଼ ସଫଳତା ଦେଖିବାକୁ ମିଳିଛି। ଏବେ ଆଉ ପୂର୍ବପରି ବଡ଼ଦାଣ୍ଡରେ ଭିକାରି ନାହାନ୍ତି ଓ ଗାଈ ଗୋରୁ ମଧ୍ୟ ବୁଲୁ ନାହାନ୍ତି ବୋଲି ପାଣ୍ଡିଆନ୍‌ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ୫୦୦ ଜଣ ଭିକାରିଙ୍କୁ ବଡ଼ଦାଣ୍ଡରୁ ଉଦ୍ଧାର କରାଯାଇ ସେମାନଙ୍କୁ ଥଇଥାନ କରାଯାଇଛି। ସେ ମଧ୍ୟରୁ ୧୫୦ ଭିକାରିଙ୍କୁ ତାଙ୍କ ପରିବାର ଲୋକଙ୍କ ପାଖକୁ ପଠାଇ ଦିଆଯାଇଛି। ପୁରୀ ସ୍ବର୍ଗଦ୍ବାରାର ବିକାଶ କାର୍ଯ୍ୟର ସମୀକ୍ଷା କରି କହିଛନ୍ତି ଯେ, ୨୦୨୧ ମାର୍ଚ୍ଚ ସୁଦ୍ଧା ଶେଷ ହେବ ପୁରୀ ସ୍ବର୍ଗଦ୍ବାର ବିକାଶ କାମ। ପୁରୀର ସର୍ବାଙ୍ଗୀନ ବିକାଶ ଲାଗି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ ବୋଲି ୫’ଟି’ ସଚିବ କହିଛନ୍ତି।

ପ୍ରକାଶ ଯେ, ଶ୍ରୀକ୍ଷେତ୍ରକୁ ବିଶ୍ବର ଏକ ଅଗ୍ରଣୀ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଏକ ପ୍ୟାକେଜ ଘୋଷଣା କରିଥିଲେ।

Comments are closed.