Odisha Link
Bridging the Missing Links in Odisha

ଚାନ୍ଦା ମାଗି ଗିରଫ ହେଲେ କଂଗ୍ରେସ ନେତା

ସମ୍ବଲପୁର: ଚାନ୍ଦା ମାଗିବା ଅଭିଯୋଗରେ ଜଣେ କଂଗ୍ରେସ ନେତା ଗିରଫ ହୋଇଛନ୍ତି। ଜଣେ ଠିକାଦାରଙ୍କୁ ଚାନ୍ଦା ମାଗିବା ସହ ମାଡ଼ ମାରିବା ଅଭିଯୋଗରେ ସମ୍ବଲପୁର ଜିଲ୍ଲା ଠେଲକୋଲେଇ ଥାନା ପୋଲିସ ଆଜି ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗୁଣମଣି ରୋହିଦାସ, ବାଳକୃଷ୍ଣ ରୋହିଦାସ ଓ ରାଜେଶ ରୋହିଦାସ। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ନାବାଳକ ରହିଛନ୍ତି।

ଅନ୍ୟଜଣେ ଫେରାର ଥିବା ସୂଚନା ମିଳିଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗିରଫ ୪ ଜଣଙ୍କ ମଧ୍ୟରେ ଜଣେ କଂଗ୍ରେସ ନେତା ଅଛନ୍ତି। ସେ ହେଉଛନ୍ତି ବାଳକୃଷ୍ଣ ରୋହିଦାସ। ବାଳକୃଷ୍ଣ ୨୦୧୯ରେ ରେଙ୍ଗାଲି ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ। ସମ୍ବଲପୁର ସଦର ଏସଡିପିଓ ତପନ କୁମାର ମହାନ୍ତି ଏହି ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ଗତ ୨୬ତାରିଖ ରାତି ପ୍ରାୟ ସାଢ଼େ ୭ଟାରେ ଆଦିତ୍ୟ ଆଲୁମିନା କମ୍ପାନୀରେ ନିୟୋଜିତ ଠିକାସଂସ୍ଥା ଭରୋଦରା ଇଣ୍ଡଷ୍ଟ୍ରିଆଲ ପ୍ଲାଣ୍ଟର ଏଚଆର ଓ ଆଡମିନ ବିଭାଗ ମୁଖ୍ୟ ଗୌତମ କୁମାର ରେଡ୍ଡିଙ୍କୁ ବାଳକୃଷ୍ଣ, ରାଜେଶଙ୍କ ସମେତ ୫ଜଣ ବଟି ମାଗିଥିଲେ। ବଟି ନ ଦେବାରୁ ତାଙ୍କୁ ମାଡ଼ ମାରିଥିଲେ। ବଳପୂର୍ବକ ତାଙ୍କଠାରୁ ୨୦ହଜାର ଟଙ୍କା ଲୁଟି ଫେରାର ହୋଇଯାଇଥିଲେ।

ଏନେଇ ଥାନାରେ ଅଭିଯୋଗ ହେବାପରେ ସଦର ଏସଡିପିଓ ତପନ କୁମାର ମାହାନ୍ତି, ଠେଲକୋଲେଇ ଥାନା ଅଧିକାରୀ ସୁରୁବାବୁ ଛତ୍ରିଆଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ପେସିଆଲ ଡ୍ରାଇଭ ଆରମ୍ଭ ହୋଇଥିଲା। ଆଜି ସନ୍ଧ୍ୟାରେ ମୁଖ୍ୟ ଅଭିଯୁକ୍ତ ବାଳକୃଷ୍ଣ ରୋହିଦାସ, ଗୁଣମଣି ରୋହିଦାସ ଏବଂ ରାଜେଶ ରୋହିଦାସଙ୍କ ସମେତ ଜଣେ ନାବାଳକଙ୍କୁ ଧରିଛି ପୋଲିସ। ସେମାନଙ୍କଠାରୁ ୫ହଜାର ଟଙ୍କା ସହ ଏକ ଇନୋଭା ଗାଡ଼ି ଜବତ ହୋଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି।

Comments are closed.