Odisha Link
Bridging the Missing Links in Odisha

ଜୁନ୍ ସୁଦ୍ଧା ଉପଲବ୍ଧ ହେବ କରୋନାଭାଇରସ୍ ଟୀକା: ସେରମ୍ ସିଇଓ

ନୂଆଦିଲ୍ଲୀ: କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ କରୋନାଭାଇରସ୍ ଟିକା ପ୍ରସ୍ତୁତିରେ କାର୍ଯ୍ୟରତ ସାରା ବିଶ୍ବ। ଏହି ସ୍ଥିତିରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସିଇଓ ଆଦର ପୁନାୱାଲା କରୋନାଭାଇରସ୍ ଟିକା ବିଷୟରେ ଆଶା ଦେଖାଇଛନ୍ତି। ସେ କହିଛନ୍ତି ଯେ, ଅକ୍ସଫୋର୍ଡ଼ କରୋନାଭାଇରସ୍ ଟିକାର ପ୍ରଥମ ପର୍ଯ୍ୟାୟ ୨୦୨୧ ଦ୍ବିତୀୟ ତ୍ରୟମାସିକ ଅର୍ଥାତ୍ ଜୁନ୍ ସୁଦ୍ଧା ଉପଲବ୍ଧ ହେବ। ଏଥିସହ ସେରମ ଇନଷ୍ଟିଚ୍ୟୁଟ୍ ପ୍ରଥମ ପର୍ଯ୍ୟାୟରେ ୧୦୦ ନିୟୁତ ଟୀକା ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରୁଛି ବୋଲି ସେ ସୂଚନା ଦେଇଛନ୍ତି।

ଆଦର ପୁନାୱାଲା ଆହୁରି କହିଛନ୍ତି, ଡିସେମ୍ବର ଶେଷ ସୁଦ୍ଧା ପରୀକ୍ଷା ପ୍ରକ୍ରିୟା ଶେଷ ହେବ ଏବଂ ଯଦି ସବୁ ଠିକ୍ ହୁଏ ତେବେ ଜାନୁଆରୀରେ ଆମେ ଟିକା ପାଇପାରିବା କିନ୍ତୁ ଏହାର ପୂର୍ଣ୍ଣ ଉପଲବ୍ଧ ହେବା ବେଳକୁ ୨୦୨୧ର ଦ୍ବିତୀୟ ତ୍ରୟମାସିକ ହୋଇଯାଇପାରେ। ଜରୁରୀକାଳୀନ ପରୀକ୍ଷା ପାଇଁ ଆମେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଆବେଦନ କରିବୁ ଏବଂ ଯଦି ଟିକା ସେଠାରୁ ଅନୁମୋଦିତ ହୁଏ, ତେବେ ଆମେ ଭାରତରେ ମଧ୍ୟ ସମାନ ପରୀକ୍ଷା କରିବାକୁ ସମର୍ଥ ହେବୁ। ଯଦି ଏହି ସବୁ ସଫଳ ହୁଏ, ତା’ହେଲେ ଡିସେମ୍ବର ମଧ୍ୟଭାଗରେ ଆମକୁ ଟିକା ମିଳିପାରିବ।

ଉତ୍ପାଦନ ମାତ୍ରା ଦୃଷ୍ଟିରୁ ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ ସେରମ୍ ଇନଷ୍ଟିଚ୍ୟୁଟ୍ କରୋନା ଜୀବାଣୁ ରୋକିବା ପାଇଁ ଆଷ୍ଟ୍ରା ଜେନେକା-ଅକ୍ସଫୋର୍ଡ ୟୁନିଭରସିଟି ଟିକା ଉତ୍ପାଦନ ସମେତ ଅନେକ ଟିକା ଉପରେ କାର୍ଯ୍ୟ କରୁଛି। ଆଷ୍ଟ୍ରା ଜେନେକା-ଅକ୍ସଫୋର୍ଡ ଟିକା ସାରା ବିଶ୍ୱ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିଛି । ଏହାବ୍ୟତୀତ ସେରମ ଇନଷ୍ଟିଚ୍ୟୁଟ୍ ମଧ୍ୟ ନିଜର ଟୀକା ପ୍ରସ୍ତୁତ କରୁଛି।

Comments are closed.