Odisha Link
Bridging the Missing Links in Odisha

ପୁଣି ମନ୍ଦିର ଖୋଲିବା ଦାବିରେ ଘଣ‌୍ଟ ବାଡ଼େଇଲେ ସେବାୟତ

ପୁରୀ: ଆଜି ପୁଣି ରାଜ୍ୟରେ ଭକ୍ତଙ୍କ ପାଇଁ ମନ୍ଦିର ଖୋଲିବାକୁ ଦାବି କଲେ ସେବାୟତ। ଏହାକୁ ନେଇ ପୁରୀରେ ଶ୍ରୀମନ୍ଦିର ଆଗରେ ଘଣ୍ଟା ବାଡ଼େଇ ଆନ୍ଦୋଳନ କରି ଦାବି ଜଣାଇଛି ସେବାୟତ ସଂଘ। ପୁରୀ ଶ୍ରୀମନ୍ଦିର ସହିତ ରାଜ୍ୟର ସମସ୍ତ ମନ୍ଦିର ଖୋଲିବାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ଘଣ୍ଟ ଓ ଘଣ୍ଟି ବଜାଇ ଦାବି ଜଣାଇଛନ୍ତି ସେବାୟତମାନେ। କରୋନା କଟକଣା କାରଣରୁ ବର୍ତମାନ ରାଜ୍ୟରେ ମନ୍ଦିରରେ ସର୍ବସାଧାରଣଙ୍କ ପ୍ରବେଶ ସହିତ ଦର୍ଶନ ଉପରେ କଟକଣା ଜାରି ରହିଛି। କେବଳ ସୀମିତ ସେବାୟତ ଓ ପୂଜକଙ୍କୁ ନେଇ ମନ୍ଦିରରେ ନୀତି ଜାରି ରହିଛି।

ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସମାନ ଧରଣର ପ୍ରତିବାଦ ଦେଖିବାକୁ ମିଳିଛି। ଘଣ୍ଟାଘଣ୍ଟି ବଜାଇବା ସହ ଶଙ୍ଖ ଫୁଙ୍କି ମନ୍ଦିର ଖୋଲିବା ନେଇ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି ମନ୍ଦିର ସେବାୟତ ସଂଘ। କରୋନା କାଳରେ ମନ୍ଦିର ଗୁଡିକ ବନ୍ଦ ଥିବାରୁ, ଭକ୍ତଙ୍କ ମନ୍ଦିର ଆସିବା ନେଇ କଟକଣା ଲାଗି ରହିଛି । କରୋନା କାଳରେ ଏହା ଦ୍ୱାରା ପୂଜାରୀ ଓ ସେବାୟତଙ୍କ ଚଳିବା ନେଇ ସମସ୍ୟା ହେଉଥିବା ଅଭିଯୋଗ କରିଛି ଓଡିଶା ମନ୍ଦିର ସେବାୟତ ସଂଘ।

ପ୍ରକାଶ ଯେ, ରାଜ୍ୟରେ ସବୁକିଛି ଧୀରେଧିରେ ସ୍ୱାଭାବିକ ହେଉଥିବା ବେଳେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ଦାବିରେ ପୁଣି ତେଜିଛି ସ୍ୱର। ମନ୍ଦିର ଖୋଲିବା ଦାବିରେ ପୁରୀ ଶ୍ରୀମନ୍ଦିର ସାମ୍ନାରେ ଧାରଣାରେ ବସିଛନ୍ତି ସେବାୟତ। ଖୁବ୍‌ଶିଘ୍ର ଶ୍ରୀମନ୍ଦିର ଖୋଲାଯାଉ ବୋଲି ଦାବି କରି ଦାମୋଦର ମହାସୁଆର ସହଯୋଗୀଙ୍କ ସହ ମିଶି ମନ୍ଦିର ସାମ୍ନାରେ ଧାରଣାରେ ବସିଛନ୍ତି।

ଅନେକ ବାର ସରକାରଙ୍କୁ ନିବେଦନ କରିବା ସହ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବା ପରେ ମଧ୍ୟ ସରକାର ମନ୍ଦିର ଖୋଲିବାକୁ ଅନୁମତି ନଦେବା ଦ୍ୱାରା ସେବାୟତମାନେ ଦୁର୍ଦ୍ଦିନରେ ସମୟ ବିତାଉଛନ୍ତି। ତେଣୁ ଆସନ୍ତା ୭ ତାରିଖରେ ରାଜ୍ୟର ଲକ୍ଷାଧିକ ମନ୍ଦିର ସମ୍ମୁଖରେ ସେବାୟତମାନେ ସକାଳ ୯ଟାରେ ଘଣ୍ଟ ବାଡ଼େଇ ଏହାର ପ୍ରତିବାଦ କରିବେ। ଏହାବ୍ୟତୀତ ସେବାୟତଙ୍କ ପରିବାର ସଦସ୍ୟମାନେ ସେମାନଙ୍କ ଘର ସମ୍ମୁଖରେ ଘଣ୍ଟ ବାଡ଼େଇ ଏହାର ପ୍ରତିବାଦ କରିବେ ବୋଲି ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।