ସରିଲା ଉପ ନିର୍ବାଚନ ପ୍ରଚାର, ୩ରେ ହେବ ପରୀକ୍ଷା

ଭୁବନେଶ୍ବର: ଆଉ ମାତ୍ର ଦିନକ ପରେ ବାଲେଶ୍ୱର- ତିର୍ତ୍ତୋଲ ଉପ ନିର୍ବାଚନ ଭୋଟ। କରୋନା କଟକଣା ଭିତରେ ଓଡ଼ିଶାରେ ଉପ ନିର୍ବାଚନ ହେବ। ଆସନ୍ତା ୩ ତାରିଖ ଦିନ ଉଭୟ ଆସନ ପାଇଁ ଭୋଟ ପଡୁଥିବାରୁ ଏଥିପାଇଁ ଜୋରଦାର କସରତ କରିଛନ୍ତି ସମସ୍ତ ଦଳ। ଆଉ ୟାରି ଭିତରେ ଆଜି ସରି ଯାଇଛି ସମସ୍ତ ପ୍ରସ୍ତୁତି, ସମସ୍ତ ପ୍ରଚାର। ସନ୍ଧ୍ୟା ୬ଟା ସୁଦ୍ଧା ସବୁ ଅଣ ଭୋଟରଙ୍କୁ ନିର୍ବାଚନ ମଣ୍ଡଳୀ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।
ସେପଟେ ଉପ ନିର୍ବାଚନ ତାରିଖ ଘୋଷଣା ପରେ ଭୋଟରଙ୍କୁ ଭିଡିବାକୁ ରଣନୀତି ପ୍ରସ୍ତୁତ କରିଥିଲେ ୩ ପ୍ରମୁଖ ଦଳ। ବାଲେଶ୍ୱର ଓ ତିର୍ତ୍ତୋଲରେ ତ୍ରିମୂଖୀ ଲଢେଇ ହେଉଥିବା ବେଳେ ସମସ୍ତଙ୍କ ନଜର କିନ୍ତୁ ଅଟକିଛି ବାଲେଶ୍ୱର ସଦର ଉପରେ। କାରଣ ବାଲେଶ୍ୱରରେ ଶାସକ ଦଳ ନୁହେଁ ବରଂ ବିଜେପି ଗତ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିଲା । ଆଉ ବିଧାୟକ ମଙ୍ଗୁ ଦତ୍ତଙ୍କ ବିୟୋଗ ପରେ ସେଠି ପୁଣି ନିର୍ବାଚନ ହେଉଛି। ଥରେ ଗଡ ହରାଇଥିବା ବିଜେଡି ଆଉ ଥରେ ସେ ସୁଯୋଗ ବିଜେପିକୁ ଦେବନି ବୋଲି ବାଲେଶ୍ୱର ବାଜି ଜିତିବାକୁ ଲାଗିପଡିଛନ୍ତି ମାଳ ମାଳ ନେତା ମନ୍ତ୍ରୀ। ବିଜେଡିର ଅନେକ ହେଭିୱେଟ ବି ବାଲେଶ୍ୱରରେ କ୍ୟାମ୍ପ ପକାଇଥିଲେ।
୧୨ ଜଣ ମନ୍ତ୍ରୀ, ୪୦ରୁ ଅଧିକ ବିଧାୟକ ଓ ସାଂସଦ, ଛାତ୍ର, ଯୁବ ଓ ମହିଳା ସଂଗଠନର ଶହ ଶହ କର୍ମୀ। ପ୍ରଚାର ମୈଦାନରେ ତୁଙ୍ଗ ନେତାଙ୍କ ଉପସ୍ଥିତି ହିଁ ପ୍ରମାଣ କରୁଥିଲା, ବାଲେଶ୍ୱର ବାଜିକୁ କେଉଁ ଭଳି ନେଇଛି ବିଜୁ ଜନତା ଦଳ । ବାଲେଶ୍ୱର ଉପ-ନିର୍ବାଚନ ଜିତିବା ପାଇଁ ପୁରା ଶକ୍ତି ଖଟାଇ ଦେଇଛି ବିଜେଡି । ୨୦୧୯ ନିର୍ବାଚନରେ ନିଜ ହାତରୁ ଚାଲିଯାଇଥିବା ଆସନ ଫେରି ପାଇବା ପାଇଁ ଦଳ, ଭରପୁର ପ୍ରୟାସ କରିଛି ।
ଅନ୍ୟପଟେ ବାଲେଶ୍ୱର ମୈଦାନରେ ମାଟି କାମୁଡି ପଡିଥିବା କଂଗ୍ରେସ ଏଥର ଉଠିବାକୁ ଚେଷ୍ଟା କରୁଛି। ଦୁଇ ଦଳ ପୁରୁଷ ଯୋଦ୍ଧାଙ୍କୁ କୁରୁକ୍ଷେତ୍ରକୁ ଛାଡିଥିବା ବେଳେ କଂଗ୍ରେସ ମହିଳା କାର୍ଡ ଖେଳିଛି । ଆଉ ସମାଜସେବୀ ମମତା କୁଣ୍ଡୁଙ୍କୁ ସାମ୍ନାକୁ ଆଣିଛି। ତେବେ ନେତା-ଅଭିନେତା, ନାଚ ଗୀତ, ବଡ ବଡ ରାଲି କରି ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଲାଗି ପଡିଥିବା ୩ ଦଳ ଭିତରେ ହଠାତ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ ବେଣୁ ମଉସା।
ସଦରର ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇଥିବା ୯୦ ବର୍ଷୀୟ ବେଣୁଧର ବାରିକ ଲୋକଙ୍କ ସ୍ୱାର୍ଥ ଓ ବସ୍ତିବାସିନ୍ଦାଙ୍କ ହକ ପାଇଁ ଲଢୁଥିବା କହିବା ପରେ ତାଙ୍କ ପ୍ରତି ଜନ ସମର୍ଥନ ବାହାରିଥିଲା। ବଡ ବଡ ସେଲିବ୍ରିଟି ମାନେ ମଧ୍ୟ ତାଙ୍କୁ ସାହାଯ୍ୟ ସହଯୋଗ କରି ଜିତାଇବାକୁ ଜି ଜାନ ଲଗାଇ ଦେଇଛନ୍ତି। ତେବେ ଇତି ମଧ୍ୟରେ ପ୍ରଚାର ସରିଛି, ଆଉ ଏବେ ମତଦାନକୁ ଅପେକ୍ଷା ।
Comments are closed.