Odisha Link
Bridging the Missing Links in Odisha

ଏକାମ୍ର ଉଦ୍ୟାନକୁ ବିକ୍ରି କରିବାକୁ ଦିଆଯିବ ନାହିଁ: ସୁର

ଭୁବନେଶ୍ୱର: ଭୁବନେଶ୍ୱରର ଶୋଭା ବର୍ଦ୍ଧନ ଏବଂ ଉଦ୍ୟାନ କୃଷିର ପ୍ରଗତି ପାଇଁ ୧୯୮୦ ଦଶକରେ ତତ୍କାଳୀନ କଂଗ୍ରେସ ସରକାରର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ୨୬ ଏକର ପରିମିତ ଏକାମ୍ର ପାର୍କ ପ୍ରତିଷ୍ଠା କରିଥିଲେ। ଏହାକୁ ଏବେ ବିକ୍ରି କରିବା ପାଇଁ ବା ହଡପ କରିବା ପାଇଁ ସରକାର ଯେଉଁ ଚକ୍ରାନ୍ତ କରୁଛନ୍ତି ତାହା ଦୁର୍ଭାଗ୍ୟଜନକ ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଏବଂ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାସ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି।

ପାର୍କରେ ବିଭିନ୍ନ ପ୍ରକାର ଉଦ୍ୟାନ ଭିତିକ ବୃକ୍ଷଲତା ରୋପଣ କରାଯାଇ ଚାଷୀଙ୍କୁ ସୁଲଭ ମୂଲ୍ୟରେ ଉନ୍ନତମାନର ଫୁଲ, ଫଳ ଚାରା ଯୋଗାଇ ଦେବା ପାଇଁ ବ୍ୟବସ୍ଥା ଥିଲା। ଯାହାକି ୩୦ ହଜାରରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରକାରର ଯଥା ଆମ୍ବ, କାଜୁ, ଅର୍କିଟ୍‌, ସେପେଟା, ସପୁରୀ ଓ ଗୋଲାପ ଆଦି ବହୁ ମୂଲ୍ୟବାନ ଫୁଲ ଗଛ ଲଗା ଯାଇଥିଲା। ଏତଦ୍‌ବ୍ୟତୀତ ଉନ୍ନତମାନର ପଲ୍ଲୀ ହାଉସ ଏବଂ ଉଦ୍ୟାନ ନିର୍ଦ୍ଦେଶାଳୟ ପରିସରରେ ଉଦ୍ୟାନ ଫ୍ରେସ୍ ପ୍ରଭୃତିରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ଏହାର ଭିତିଭୂମିକୁ ସୁଦୃଢ଼ କରାଯାଇଥିଲା।

ଏହା ଏକ ସଫଳ କାର୍ଯ୍ୟକ୍ରମହୋଇଥିଲା। ମାତ୍ର ସରକାର ଦୀର୍ଘ ୨୦ ବର୍ଷ ଧରି ଏହାର ରକ୍ଷଣାବେକ୍ଷଣ କଲେନାହିଁ। ଏବେ ରାଜ୍ୟ ସରକାର ଗତ ୧୩ ତାରିଖ ଦିନ ଏଠାରେ ଥିବା ୨୬ ଏକର ଜାଗାରୁ ୨୦ ଏକର ୯୦ ଡେସିମିଲ ଜାଗାକୁ ଜି.ଏ. ଡିପାର୍ଟମେଂଟକୁ ହସ୍ତାନ୍ତର କରିବା ପାଇଁ ସହକାରୀ ଉଦ୍ୟାନ ନିର୍ଦ୍ଦେଶକଙ୍କୁ ପତ୍ରାଳାପ କରିଛନ୍ତି। ବର୍ତମାନ ଏହି ସମଗ୍ର ଜମିକୁ ରାଜ୍ୟ ସରକାର ବ୍ୟବସାୟିକ ପ୍ରତିଷ୍ଠାନ ହାତରେ ଶାଗମୁଗ ମୂଲ୍ୟରେ ଟେକି ଦେବା ପାଇଁ ଚକ୍ରାନ୍ତ କରିଛନ୍ତି।

ଏଥିସହ ଡମଣା ଏବଂ ଜଟଣୀ ନିର୍ବାଚନ ମଣ୍ଡଳୀର ତମାଣ୍ଡୋ, ଅନ୍ଧାରୁଆ, ପାତ୍ରପଡା, ତରାବୋଇ, ଗଙ୍ଗପଡା, ଜାମୁକୋଳି, ମେଣ୍ଢାଶାଳ, କୁମାରବସ୍ତ, ବେଲପଡା ଇତ୍ୟାଦି ଗ୍ରାମଗୁଡିକର ମଶାଣୀ, ଖେଳପଡିଆ, ମେଲଣପଡିଆ, ସ୍କୁଲ ପଡିଆକୁ ରାଜ୍ୟ ସରକାରଙ୍କର ବଡ ବଡ ଅଫିସରମାନେ ସଲାସୁତୁରା କରି ବାହାର ସଂସ୍ଥାମାନଙ୍କୁ ଶାଗମୁଗ ମୂଲ୍ୟରେ ବିକ୍ରି କରିବା ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ କରିଛନ୍ତି।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଇଡ୍‌କୋ ଏମ୍‌.ଡି, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର, ଏସ୍‌.ଡି.ଓ ଉକ୍ତ ସ୍ଥାନକୁ ଯାଇ ଗ୍ରାମବାସୀମାନଙ୍କୁ ଧମକ ଚମକ ଦେଇ ବଳ ପୂର୍ବକ ଜମି ଦଖଲ କରିବାକୁ ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଏହାକୁ ରାଉତରାୟ ଘୋର ନିନ୍ଦା କରିବା ସହ ଏହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।

ଏହି ଚକ୍ରାନ୍ତକୁ ସଫଳ ହେବାକୁ ଦିଆଯିବ ନାହିଁ। ଭୁବନେଶ୍ୱରର ବିକାଶ ପରିବର୍ତେ ଏମାନେ ୨୦ ବର୍ଷ ଧରି ବିନାଶ କରି ଚାଲିଛନ୍ତି। ଜଙ୍ଗଲ ଜମିକୁ ମଧ୍ୟ ଏହି ସରକାରର ବଡପଣ୍ଡାମାନେ ମାଡି ବସିଛନ୍ତି। ଉକ୍ତ ଅଂଚଳର ଗ୍ରାମବାସୀମାନେ କୌଣସି ମତେ ଏହି ଜମିକୁ ଛାଡିବା ପ୍ରଶ୍ନ ଉଠୁନାହିଁ।

ଗୋଚର ଜମିକୁ ମଧ୍ୟ ଜବରଦସ୍ତ ନେଇଯିବା ପାଇଁ ଯେଉଁ ଚକ୍ରାନ୍ତ ଚାଲିଛି ତା’ର ଘୋର ବିରୋଧ କରାଯିବ। ବିଶେଷକରି ଏକାମ୍ରକାନନକୁ ବିକ୍ରି କରିବା ପାଇଁ ଯେଉଁ ଚକ୍ରାନ୍ତ ଚାଲିଛି ତାକୁ ସଫଳ କରିବାକୁ ଦିଆଯିବ ନାହିଁ।

ରାଜ୍ୟ ସରକାର ଯଦି ତାଙ୍କ ନିଷ୍ପତିରୁ ଓହରି ନଯାଆନ୍ତି ତେବେ ଏହା ବିରୁଦ୍ଧରେ ବିରାଟ ଗଣ ଆନ୍ଦୋଳନ ଗଢ଼ି ଉଠିବ ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସମାଜସେବୀ ମନ୍ମଥ ରାଉତରାୟ, ପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ ଓ ଜୟକୃଷ୍ଣ ମଲିଆ ଉପସ୍ଥିତ ଥିଲେ।

Comments are closed.