ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ମୋଦି, ଏସବୁ ପ୍ରସଙ୍ଗ ଉପରେ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ। ବ୍ରିକ୍ସ ଦେଶ (ବ୍ରାଜିଲ, ଋଷ, ଭାରତ, ଚୀନ୍, ଦକ୍ଷିଣ ଆଫ୍ରିକା) ଏହି ସମ୍ମିଳନୀରେ ସାମିଲ ହେବେ। ଏହି ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ବ୍ରାଜିଲର ରାଷ୍ଟ୍ରପତି ଜେୟର ବୋଲସୋନାରୋ ଏବଂ ଋଷର ରାଷ୍ଟ୍ରପତି ବ୍ଲାଦିମିର ପୁତିନ ମଧ୍ୟ ଯୋଗଦେବାକୁ ପ୍ରସ୍ତାବ ଦିଆଯାଇଛି। ଋଷ୍ ଦ୍ବାରା ଆୟୋଜିତ ୧୨ତମ ବ୍ରିକ୍ସ ସମ୍ମିଳନୀର ବିଷୟବସ୍ତୁ ହେଉଛି ବିଶ୍ୱ ସ୍ଥିରତା, ସହଭାଗୀ ସୁରକ୍ଷା ଏବଂ ଅଭିନବ ବିକାଶ।
ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ, ବାଣିଜ୍ୟ, ସ୍ୱାସ୍ଥ୍ୟ, ଶକ୍ତି ସହ କରୋନା ମହାମାରୀ ଦ୍ୱାରା କ୍ଷୟକ୍ଷତିର ଆକଳନ ପାଇଁ ପଦକ୍ଷେପ ଉପରେ ଆଲୋଚନା କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ରାଷ୍ଟ୍ରପତି ପୁତିନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ଋଷ ଦ୍ୱାରା ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ।
ଆଗାମୀ ବ୍ରିକ୍ସ ସମ୍ମିଳନୀ ପାଇଁ ଭାରତ ଅଧ୍ୟକ୍ଷତା କରିବ। ୨୦୨୧ ରେ ହେବାକୁ ଥିବା ୧୩ ତମ ବ୍ରିକ୍ସ ସମ୍ମିଳନୀକୁ ଭାରତ ଆୟୋଜନ କରିବ। ଏହାପୂର୍ବରୁ, ଭାରତ ୨୦୧୨ ଏବଂ ୨୦୧୬ ରେ ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷତା କରିଛି।