Odisha Link
Bridging the Missing Links in Odisha

ଓଡ଼ିଶାରୁ ଫେରିଯିବ ‘ସୁନ୍ଦରୀ’, ଏବେ ଏହି ସ୍ଥାନରେ ରହିବ

ଭୁବନେଶ୍ବର: ବିଳମ୍ବରେ ହେଉ ପଛେ ବନ୍ଦୀ ଜୀବନରୁ ‘ସୁନ୍ଦରୀ’ ମୁକ୍ତ ହେବା ଆଶା ଉଜ୍ଜ୍ୱଳ ହୋଇଛି। ଗତ ପ୍ରାୟ ଦୁଇ ବର୍ଷ ହେଲା ଏନ୍‌କ୍ଲୋଜର ଭିତରେ ବନ୍ଦୀ ଜୀବନ ଜିଉଁଥିବା ସାତକୋଶିଆର ଏହି ବାଘୁଣୀକୁ ତା’ର ବଣୁଆ ପ୍ରକୃତି ଫେରାଇ ଆଣିବା ସହ ଉପଯୁକ୍ତ ପ୍ରାକୃତିକ ଆବାସସ୍ଥଳରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ।

ଗୋଟିଏ ଜଙ୍ଗଲୀ ହିଂସ୍ର ଜନ୍ତୁକୁ ଏତେଦିନ ଧରି ଏକ ଛୋଟ ଏନକ୍ଲୋଜର ଭିତରେ ଦୀର୍ଘ ଦିନ ପାଇଁ ରଖାଯାଇ ପାରିବ ନାହିଁ। ତେଣୁ, ବାଘୁଣୀକୁ ତତ୍କାଳ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ପ୍ରକଳ୍ପ ସ୍ଥିତ ଘୋରେଲା ରି-ୱାଇଲ୍‌ଡ଼ିଂ ସେଣ୍ଟରକୁ ଫେରାଇ ଆଣିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସୁନ୍ଦରୀର ଘରବାହୁଡ଼ା ପ୍ରକ୍ରିୟା କେବେ ଆରମ୍ଭ ହେବ ତାହା ଉପରେ ସଭିଁଙ୍କ ନଜର ରହିଛି।

ମଧ୍ୟପ୍ରଦେଶର କାହ୍ନା ଓ ବାନ୍ଧବଗଡ଼ ବ୍ୟାଘ୍ର ପ୍ରକଳ୍ପରୁ ଆସିଥିବା ମହାବଳ ‘ମହାବୀର’ ଓ ‘ସୁନ୍ଦରୀ’କୁ ସାତକୋଶିଆରେ ଉପଯୁକ୍ତ ଭାବରେ ପର୍ଯ୍ୟବେକ୍ଷଣ କରାଯାଇନି କି ଏସ୍‌ଓପି (ଷ୍ଟାଣ୍ଡାର୍ଡ଼ ଅପରେଟିଂ ପ୍ରୋସିଡ୍ୟୁର) ପାଳନ କରାଯାଇନାହିଁ। ‘ସୁନ୍ଦରୀ’କୁ ଉପଯୁକ୍ତ ପ୍ରକ୍ରିୟାରେ କାବୁ କରାଯାଇନାହିଁ। ଦୁଇ ବର୍ଷ ହେଲା ଏକ ଛୋଟ ଏନ୍‌କ୍ଲୋଜର (ଅଢ଼େଇ ଏକର ପରିସୀମା ବିଶିଷ୍ଟ) ମଧ୍ୟରେ ରଖାଯାଇଛି। ତାକୁ ଜଙ୍ଗଲରେ ଛାଡ଼ିବା ନେଇ କୌଣସି ଉଦ୍ୟମ କରାଯାଇନାହିଁ।

ଆର୍ଥିିକ ପ୍ରତିବନ୍ଧକ କି ବୈଷୟିକ ସହାୟତାର ଅଭାବ ନଥିଲେ ବି ସାତକୋଶିଆରେ ବାଘ ପାଇଁ ଶିକାର (ବନ୍ୟପ୍ରାଣୀ) ବୃଦ୍ଧି, ସୁରକ୍ଷିତ ଜଙ୍ଗଲ ସୃଷ୍ଟି, କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ସାଙ୍ଗକୁ ବାଘ ସୁରକ୍ଷା ଦିଗରେ ଯଥେଷ୍ଟ ଧ୍ୟାନ ଦିଆଯାଇନାହିଁ। ଏହାଛଡ଼ା ବ୍ୟାଘ୍ର ପ୍ରକଳ୍ପ ପାଇଁ ମଂଜୁର ହୋଇଥିବା ଅର୍ଥ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ବିନିଯୋଗ କରାନଯାଇ ଅନଧିକୃତ ଭାବରେ ଅନ୍ୟ ଦିଗରେ ଖର୍ଚ୍ଚ କରାଯାଇଛି ବୋଲି ହାଇକୋର୍ଟ୍‌ ଦର୍ଶାଇଛନ୍ତି।

ମଧ୍ୟପ୍ରଦେଶ ହାଇକୋର୍ଟ୍‌ଙ୍କ ଏହି ନିଷ୍ପତ୍ତି ପରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପରିଚାଳନାରେ ରାଜ୍ୟ ସରକାରଙ୍କ ଅପାରଗତା ପଦାରେ ପଡ଼ିଛି। ଏଥିସହିତ ପ୍ରକଳ୍ପର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତତ୍କାଳୀନ ଅଧିକାରୀଙ୍କ ମନମାନି, ବନ ବିଭାଗର ଅନଭିଜ୍ଞତା ତଥା ଖାମଖିଆଲ ମନୋଭାବ ଏବଂ ସ୍ଥାନୀୟ ଲୋକପ୍ରତିନିଧି, ଜନସାଧାରଣଙ୍କୁ ଏଭଳି ଏକ ମହତ୍ୱକାଂକ୍ଷୀ ପ୍ରକଳ୍ପରୁ ଦୂରେଇ ରଖାଯାଇଥିଲା। ନ୍ୟାୟାଳୟର ଟିପ୍ପଣୀ କେବଳ ପ୍ରକଳ୍ପର ବିଫଳତାକୁ ଦର୍ଶାଇନି, ବରଂ ଓଡ଼ିଶାକୁ ନିନ୍ଦିତ କରିଛି।

‘ସୁନ୍ଦରୀ’ ପ୍ରସଙ୍ଗ ନେଇ ଉତ୍ତରପ୍ରଦେଶ ନୋଏଡ଼ାର ରେଡ଼୍‌ ଲିଙ୍କସ କନଫେଡ଼େରେସନ୍‌ ନାମକ ଏକ ସଂସ୍ଥା ପକ୍ଷରୁ ମଧ୍ୟପ୍ରଦେଶ ହାଇକୋର୍ଟ୍‌ରେ ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା। ବାଘୁଣୀକୁ ତା’ର ପ୍ରାକୃତିକ ବାସସ୍ଥାନକୁ ଫେରାଇ ଆଣିବା ସହ ଆନ୍ତଃରାଜ୍ୟ ବାଘ ସ୍ଥାନାନ୍ତରଣ ପ୍ରକଳ୍ପର ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲା ଆବେଦନକାରୀ ସଂସ୍ଥା। ବିଚାର ବିଭାଗୀୟ ତଦନ୍ତ ପାଇଁ ହାଇକୋର୍ଟ୍‌ ନା’ କରିଥିବା ବେଳେ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି। ସୂଚନାଥାଉକି, ୨୦୧୮ ଜୁନ୍‌ ୨୮ ତାରିଖରେ ବାନ୍ଧବଗଡ଼ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ବାଘୁଣୀ ‘ସୁନ୍ଦରୀ’କୁ ସାତକୋଶିଆ ଅଣାଯାଇଥିଲା।

Comments are closed.