Odisha Link
Bridging the Missing Links in Odisha

ଆଜିଠୁ କୋଣାର୍କ ସୂର୍ଯ୍ୟମନ୍ଦିର ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ

କୋଣାର୍କ: ଦୀର୍ଘ ନଅ ମାସ ପରେ ଏବେ ଧୀରେ ଧୀରେ ଖୋଲିଛୁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳି। ରାଜ୍ୟ ବାହାରୁ ନହେଲେ ବି ରାଜ୍ୟ ଭିତରରୁ ଅନେକ ପର୍ଯ୍ୟଟକ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିରରେ ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ ପୁଣି ଥରେ ଆରମ୍ଭ କରାଯାଇଛି। କାରୁକାର୍ଯ୍ୟରେ ପରିପୂର୍ଣ୍ଣ ପଥର ଦେହରେ ରଙ୍ଗିନ ଆଲୁଅର ଛବି ଦେଖିବାକୁ ମିଳିବ। ରାମଚଣ୍ଡୀ ମୁହାଣରେ ଇକୋ ରିଟ୍ରିଟର ଦ୍ୱିତୀୟ ସଂସ୍କରଣକୁ ଦୃଷ୍ଟିରେ ରଖି ଏହି ସୋ ଚାଲିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି।

ଆଜି ସନ୍ଧ୍ୟାରୁ ଆରମ୍ଭ ହେଉଛି ସୂର୍ଯ୍ୟମନ୍ଦିର ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ। କରୋନା କଟକଣା ଯୋଗୁଁ ଗତ ୯ମାସ ହେଲା ବନ୍ଦ ରହିଥିଲା ଏହି ଲାଇଟ ଆଣ୍ଡ ସାଉଣ୍ଡ ସୋ। ଏବେ କୋଭିଡ୍‌ ଗାଇଡଲାଇନ ଅନୁଯାୟୀ ସୂର୍ଯ୍ୟମନ୍ଦିର ଲାଇଟ ଆଣ୍ଡ ସାଉଣ୍ଡ ସୋ ଚାଲିବ ବୋଲି ସୂଚନା ଦେଇଛନ୍ତି ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ। ଲାଇଟ ଆଣ୍ଡ ସାଉଣ୍ଡ ସୋ ନିମନ୍ତେ ଟିକେଟ ମୂଲ୍ୟ ୫୦ଟଙ୍କା ରଖାଯାଇଛି। ଦୈନିକ ୨୦୦ ପର୍ଯ୍ୟଟକଙ୍କୁ ଅନୁମତି ମିଳିବ। ସନ୍ଧ୍ୟା ୬ଟା ୩୦ରୁ ଏହି ସୋ ଆରମ୍ଭ ହୋଇ ୪୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିବ । ଦୁଇଟା ସୋ ପାଇଁ ବ୍ୟବସ୍ଥା ହୋଇଛି।

ଏହି ସୋ ମାଧ୍ୟମରେ ୮ଟି ଅତ୍ୟାଧୁନିକ ପ୍ରୋଜେକ୍ଟର ସାହାଯ୍ୟରେ ମୁଖଶାଳା ଓ ନାଟମନ୍ଦିରରେ ଚିତ୍ତାକର୍ଷକ କାହାଣୀ ଇଂରାଜୀ, ହିନ୍ଦୀ ଓ ଓଡ଼ିଆ ଭାଷାରେ ଶୁଣିବାକୁ ମିଳିବ। ଏଥିରେ ସୂର୍ଯ୍ୟମନ୍ଦିର ଐତିିହ୍ୟ ସମ୍ପର୍କରେ ୪୦ ମିନିଟ୍‌ର ତଥ୍ୟଭିତ୍ତିକ ବିବରଣୀ ରହିଛି। ପ୍ରଥମେ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଶାସନ, ମନ୍ଦିର ନିର୍ମାଣ, ଧର୍ମପଦ, ଶାମ୍ବ ଉପାଖ୍ୟାନକୁ ଲାଇଟ୍‌ ଆଣ୍ଡ ସାଉଣ୍ଡ ମାଧ୍ୟମରେ ମନ୍ଦିର ପ୍ରସ୍ତର ଦେହରେ ଚିତ୍ରଣ କରାଯାଇଛି।

Comments are closed.