Odisha Link
Bridging the Missing Links in Odisha

ଟେଷ୍ଟ ର‍୍ୟାଙ୍କିଙ୍ଗ୍: ଟପ୍‌-୧୦ରେ ତିନି ଭାରତୀୟ ବ୍ୟାଟସମାନ୍, ବୋଲିଂରେ ୨ ଖେଳାଳି

ନୂଆଦିଲ୍ଲୀ: ପ୍ରକାଶ ପାଇଛି ୨୦୨୦ ବର୍ଷର ଶେଷ ଟେଷ୍ଟ ର‍୍ୟାଙ୍କିଙ୍ଗ୍। ଉଭୟ ବ୍ୟାଟସମ୍ୟାନ୍‌ ଓ ବୋଲରଙ୍କ ଟେଷ୍ଟ ର‍୍ୟାଙ୍କିଙ୍ଗ୍‌ ପ୍ରକାଶ କରିଛି ଆଇସିସି। ଆଇସିସି ଟେଷ୍ଟ ବ୍ୟାଟସମ୍ୟାନ୍‌ ଟପ୍‌-୧୦ ତାଲିକାରେ ଟିମ୍‌ ଇଣ୍ଡିଆର ୩ ଜଣ ଖେଳାଳି ଥିବାବେଳେ ଅଷ୍ଟ୍ରେଲିଆର ତିନି ଖେଳାଳି ଅଛନ୍ତି। ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥଙ୍କୁ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ବଡ଼ କ୍ଷତି ହୋଇଛି।

ଦୀର୍ଘ ଦିନ ଧରି ଆଇସିସି ଟେଷ୍ଟ ରାଙ୍କିଙ୍ଗର ଶୀର୍ଷ ସ୍ଥାନରେ ଥିବା ସ୍ମିଥ୍ ଏବେ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି। ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଟିମର କ୍ୟାପଟେନ୍ କେନ୍ ୱିଲିୟମସନ୍ ରାଙ୍କିଙ୍ଗର ଶୀର୍ଷ ସ୍ଥାନକୁ ଉଠିଛନ୍ତି। ସେହିପରି ଆଇସିସି ରାଙ୍କିଙ୍ଗର ୨ୟ ସ୍ଥାନରେ ସୁରକ୍ଷିତ ଅଛନ୍ତି ବିରାଟ କୋହଲି। ବକ୍ସିଂ ଡେ’ ଟେଷ୍ଟରେ ଶତକ ମାରିଥିବା ଟିମ୍‌ ଇଣ୍ଡିଆର କାମଚଳା ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କୁୁ ହୋଇଛି ବଡ଼ ଫାଇଦା। ସେ ସଦ୍ୟ ପ୍ରକାଶିତ ବ୍ୟାଟିଙ୍ଗ୍‌ ତାଲିକାର ୬ ନମ୍ବରରେ ଅଛନ୍ତି।

ସେହିପରି ସଦ୍ୟ ପ୍ରକାଶିତ ଟେଷ୍ଟ ବୋଲିଂରେ ଟିମ୍‌ ଇଣ୍ଡିଆର ଷ୍ଟାର୍ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ଯଶପ୍ରୀତ ବୁମ୍ରାଙ୍କୁ ଫାଇଦା ହୋଇଛି। ଅଶ୍ୱିନ୍ ଦୁଇଟି ସ୍ଥାନ ଉଠି ସପ୍ତମରେ ପହଞ୍ଚିଥିବା ବେଳେ ବୁମ୍ରାଙ୍କୁ ଗୋଟିଏ ସ୍ଥାନର ଫାଇଦା ହୋଇଛି ଏବଂ ସେ ନବମ ସ୍ଥାନରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆର ଷ୍ଟାର୍ ପେସର୍ ପ୍ୟାଟ୍ କମିନ୍ସ ପୂର୍ବଭଳି ନିଜର ଶୀଷୋ ସ୍ଥାନ କାଏମ ରଖିଥିବା ବେଳେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍ ୨ୟରେ ବଳବତ୍ତର ରହିଛନ୍ତି। ତେବେ ଅଷ୍ଟ୍ରେଲିଆର ଯୁବ ପେସ୍ ବୋଲର ଜୋଶ୍ ହେଜଲଉଡ ତିନୋଟି ସ୍ଥାନ ଖସି ଅଷ୍ଟମରେ ପହଞ୍ଚିଥିବା ବେଳେ ମିଚେଲ୍ ଷ୍ଟାର୍କ ଦୁଇଟି ସ୍ଥାନ ଉଠି ପଞ୍ଚମରେ ପହଞ୍ଚି ଯାଇଛନ୍ତି।

Comments are closed.