Odisha Link
Bridging the Missing Links in Odisha

ସରକାର ଓ ଚାଷୀ ଆଲୋଚନାରେ ବାହାରିପାରିଲାନି ନିଷ୍କର୍ସ

ନୂଆଦିଲ୍ଲୀ: ଆଜି ସରକାର ଓ ସଙ୍ଗଠନ ମଧ୍ୟରେ ବୈଠକ ଶେଷ ହୋଇଛି। ଆଜିର ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଏହା ପୁଣି ଆସନ୍ତା ବୈଠକ ଜାନୁଆରୀ ୧୫ରେ ବସିବ। ବିଜ୍ଞାନ ଭବନରେ ଦିନ ୧୨ଟାରେ ବସିବ ବୈଠକ। ବୈଠକ ସରିବା ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର। ଆଜିର ବୈଠକରେ କୌଣସି ଫଳାଫଳ ବାହାରିନଥିବା କହିଛନ୍ତି କୃଷିମନ୍ତ୍ରୀ। ସରକାର ଚାଷୀଙ୍କଠୁ ବିକଳ୍ପ ମାଗିଥିଲେ ହେଲେ ଚାଷୀ କୌଣସି ବିକଳ୍ପ ଦେଇପାରିନଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ।

କୃଷିମନ୍ତ୍ରୀ କହିଛନ୍ତି ଯେ, ଆଜିର ବୈଠକରେ ୩ କୃଷି ଆଇନ ଉପରେ ଚର୍ଚ୍ଚା ହୋଇଛି ତେବେ କୌଣସି ନିର୍ଷ୍କସ ବାହାରିପାରନି। ଚାଷୀଙ୍କ ପାଇଁ ସରକାରଙ୍କ ମନରେ ଯଥେଷ୍ଟ ସମାନ ଥିବା କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ। ଆଜି ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଦିଲ୍ଲୀର ବିଜ୍ଞାନ ଭବନରେ ଅଷ୍ଟମ ପର୍ଯ୍ୟାୟ ବୈଠକ ହୋଇଥିଲା । ତେବେ ନୂତନ କୃଷି ଆଇନ ଏବଂ ଏମଏସପିକୁ ନେଇ ଅଷ୍ଟମ ଥର ପାଇଁ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରିପାରି ନାହିଁ। ଆଜିର ବୈଠକରେ ମଧ୍ୟ ନିଜ ନିଜ ଜିଦରେ ଅଟଳ ରହିଛନ୍ତି ସରକାର ଓ କୃଷକ ସଂଗଠନ।

ବୈଠକ ଆରମ୍ଭରୁ ହିଁ ନିଜର ପୂର୍ବ ଦାବିକୁ ଦୋହରାଇଥିଲେ କୃଷକ ସଙ୍ଗଠନ। ସଂଶୋଧନ ନୁହେଁ, ନୂତନ କୃଷି ଆଇନ ପ୍ରତ୍ୟାହାର କରାଯାଉ ବୋଲି କୃଷକ ସଂଗଠନ ଦାବି କରିଥିଲେ। ହେଲେ ପୂର୍ବ ଭଳି କୃଷକଙ୍କ ଏହି ପ୍ରସ୍ତାବରେ ରାଜି ହୋଇନାହାନ୍ତି ସରକାର। ଏବେ ଜାନୁଆରି ୧୫ରେ ଆଗାମୀ ବୈଠକ ହେବ ବୋଲି ଜଣାପଡ଼ିଛି।ସମାଧାନର ବାଟ ବାହାରିବ ବୋଲି ଦେଶବାସୀ ଆଶା କରୁଥିବା ବେଳେ ବୈଠକ ପୂର୍ବରୁ ଚାଷୀମାନେ ନିଜର କଡ଼ା ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ନୂଆ କୃଷି ଆଇନ ପ୍ରତ୍ୟାହାର ନହେବା ଯାଏଁ ସେମାନେ ରାସ୍ତାରୁ ହଟିବେ ନାହିଁ ବୋଲି କହିସାରିଛନ୍ତି।

ପ୍ରବଳ ଥଣ୍ଡା ଓ ବର୍ଷା ସହି ସିଙ୍ଘୁ ସୀମା ଓ ଗାଜିପୁର ସୀମାରେ ହଜାର ହଜାର ଚାଷୀ ପ୍ରତିକୁଳ ପରିସ୍ଥିତିରେ ଆନ୍ଦୋଳନ ଜାରି ରଖିଛନ୍ତି। ଗତ ଶନିବାର ରାତିରୁ ବର୍ଷା ହେବାରୁ ଆନ୍ଦୋଳନରତ ଚାଷୀଙ୍କ ସ୍ଥିତି ଆହୁରି ଜଟିଳ ହୋଇଯାଇଛି। ଚାଷୀନେତାମାନେ କହିଛନ୍ତି, ନୂଆ କୃଷି ଆଇନ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେବ। ତେଣୁ କର ବା ମର ଲଢେଇ ପାଇଁ ସେମାନେ ପ୍ରସ୍ତୁତ ରହିଛନ୍ତି।

Comments are closed.