Odisha Link
Bridging the Missing Links in Odisha

ଏଣିକି କିନ୍ନର କାଟିବେ ପାର୍କିଂ ଟିକେଟ୍

ଭୁବନେଶ୍ୱର: ଏଣିକି ରାଜଧାନୀ ଭୁବନେଶ୍ୱରରେ ପାର୍କିଂ ଟିକେଟ୍ କାଟିବେ କିନ୍ନର। ଆଜି ରାଜମହଲ୍ ଛକରେ ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଏହା ଉଦଘାଟନ କରିଛନ୍ତି। ଏଥିପାଇଁ ଟିଜି ସ୍ୱୀକୃତିପ୍ରାପ୍ତ ସ୍ମାର୍ଟ ସିଟିର ଦୁଇଟି ପ୍ରମୁଖ ପାର୍କିଂ ଲଟ୍ ହସ୍ତାନ୍ତର କରାଯାଇଛି। ପାର୍କିଂ ଟିକେଟ୍ କାଟିବା ପାଇଁ କିନ୍ନରମାନଙ୍କୁ ସ୍ୱତନ୍ତ୍ର ତାଲିମ୍ ଦିଆଯାଇଥିଲା। ଏହାସହ କିନ୍ନରମାନଙ୍କୁ ଆପ୍ରୋନ ଓ ମନିବ୍ୟାଗ୍ ସାଙ୍ଗକୁ କ୍ୟୁଏକ୍ସୋ ମେସିନ୍ ଓ ବିଏମସି ତରଫରୁ ସ୍ୱତନ୍ତ୍ର ଆଇ କାର୍ଡ ଦିଆଯାଇଛି। ଏହି କାର୍ଡ ପକାଇ ସେମାନେ ପାର୍କିଂ ଦେୟ ଆଦାୟ କରିବେ।

ପରୀକ୍ଷାମୂଳକ ଭାବେ ଆସନ୍ତା ୨ ମାସ ପର୍ଯ୍ୟନ୍ତ ୧୭ଜଣ କିନ୍ନରଙ୍କୁ ସାମିଲ୍ କରାଯାଇଛି। ସେଥିମଧ୍ୟରୁ ୧୫ଜଣ କିନ୍ନର ଥିବା ବେଳେ ୨ଜଣ ଟ୍ରାନ୍ସମ୍ୟାନ ରହିଛନ୍ତି। ଆଗାମୀ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇ ୩୬ ହେବ ବୋଲି ଜଣାପଡ଼ିଛି।

ସହରର ଦୁଇ ପ୍ରମୁଖ ପାର୍କିଂ ଲଟ୍ ରାଜମହଲ୍ ଛକଠାରୁ ମାଷ୍ଟର କ୍ୟାଣ୍ଟିନ ଏବଂ ମାଷ୍ଟର୍ କ୍ୟାଣ୍ଟିନ୍ ଠାରୁ ଶ୍ରୀୟା ଛକ ପର୍ଯ୍ୟନ୍ତ ଦୁଇଟି ପାର୍କିଂ ଲଟ୍‌ରେ କିନ୍ନରମାନେ ଜଗିବେ। ଏହାବ୍ୟତୀତ ଏହି ଦୁଇଟି ପାର୍କିଂ ଲଟ୍ ପାଇଁ ସ୍ୱତନ୍ତ୍ର ରେଟ୍ ଚାଟ୍ ପ୍ରସ୍ତୁତ କରାଯାଇଛି। ଏହା ପୂର୍ବରୁ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ପାଇଁ ବିଏମସି ତରଫରୁ ୧୭ଜଣ କିନ୍ନରଙ୍କୁ ନିୟୋଜିତ କରାଯାଇଥିବା ବେଳେ ଏବେ ସେମାନଙ୍କୁ ଆଉଏକ ନୂଆ ଯୋଜନାରେ ସାମିଲ୍ କରାଯାଇଛି।

Comments are closed.